ଶେଷ ହେଲା ଲକ୍ଷ୍ନୌର ଖେଳାଳି ଖୋଜିବା ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ପୂର୍ବରୁ ଆହତ ସମସ୍ୟା କାରଣରୁ ମାର୍କ ଉଡ୍‌ ଓହରିବା ପରେ ତାଙ୍କ ବଦଳ ଖେଳାଳି ଖୋଜୁଥିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ। ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଭାଗ ନେବାକୁ ଯାଉଥିବା ନୂଆ ଫ୍ରାଞ୍ଚାଇଜର ବଦଳ ଖେଳାଳି ଖୋଜିବା ପ୍ରକ୍ରିୟା ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ର୍ୟୁ ଟେ’ଙ୍କ ପାଖରେ ଶେଷ ହୋଇଛି। ଅଷ୍ଟ୍ରେଲିଆ ଖେଳାଳିଙ୍କ ପୂର୍ବରୁ ଲକ୍ଷ୍ନୌ ବାଂଲାଦେଶ ପେସର ତାସ୍କିନ ଅହମ୍ମଦଙ୍କ ସହ ଯୋଗାଯୋଗ କରିଥିଲା। ହେଲେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତାଙ୍କୁ ଆଇପିଏଲ ପାଇଁ ଏନ୍‌ଓସି ଦେବାକୁ ମନା କରି ଦେଇଥିଲା। ଏହାପରେ ଜିମ୍ବାଓ୍ବେ ପେସର ବ୍ଲେସିଂ ମୁଜରାବାନିଙ୍କ ସହ ଦଳ ଚୁକ୍ତି କରିପାରେ ବୋଲି ଚର୍ଚ୍ଚା ହେଉଥିଲା।

“ଏଲ୍‌ଏସ୍‌ଜି ଉଡ୍‌ଙ୍କ ବଦଳ ଖେଳାଳି ଭାବେ ଆଣ୍ଡ୍ର୍ୟୁ ଟେଙ୍କ ସହ ଚୁକ୍ତି କରିଛି” ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଉଡ୍‌ଙ୍କ କହୁଣୀରେ ଆଘାତ ଲାଗିଥିଲା।

ଅଷ୍ଟ୍ରେଲିଆକୁ ୩୨ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ଟେ’ଙ୍କ ନାମରେ ୪୭ ଅନ୍ତର୍ଜାତୀୟ ଉଇକେଟ ରହିଛି। ଏହି ଡାହାଣହାତୀ ପେସର ଏପର୍ଯ୍ୟନ୍ତ ଆଇପିଏଲରେ ୨୭ ମ୍ୟାଚ୍‌ ଖେଳି ୪୦ ଉଇକେଟ ନେଇଛନ୍ତି। ସେ ୧ କୋଟି ଟଙ୍କାର ପାଉଣାରେ ଏଲ୍‌ଏସ୍‌ଜିରେ ଯୋଗ ଦେବେ।

Share