ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ ଘାଟିରେ ଶୁକ୍ରବାର ପୁଣି ଏକ ଗ୍ୟାସ୍ ଟ୍ୟାଙ୍କର (ସିଜି୦୭ସିବି-୦୮୮୫) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ସମ୍ଭାବ୍ୟ ଗ୍ୟାସ୍ ଲିକେଜ ଓ ଅଘଟଣକୁ ଦୃଷ୍ଟିରେ ରଖି ଛତିକୁଡ଼ା-କିଡିଙ୍ଗ ରାସ୍ତାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଫଳରେ ଭବାନୀପାଟଣା-ରାୟଗଡ଼ା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ନର୍ଲା ଥାନାଧିକାରୀ କୈବଲ୍ୟ ସେଠ ଓ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀମୋହନ ପିଡ଼ିକା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଲାଞ୍ଜିଗଡ଼ ଦମକଳ ବାହିନୀ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଉଲ୍ଲେଖଯୋଗ୍ୟ, ପ୍ରାୟ ବର୍ଷକ ପୂର୍ବରୁ ଏହି ସ୍ଥାନରେ ଏକ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡ଼ିଥିଲା। ସେତେବେଳେ ପୋଲିସ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇ ଦୀର୍ଘ ୧୮ ଘଣ୍ଟା ପରେ ଅଞ୍ଚଳବାସୀଙ୍କୁ ସମ୍ଭାବ୍ୟ ବିପଦରୁ ମୁକ୍ତ କରିଥିଲେ। ଏବେ ପୁଣି ସମାନ ଧରଣର ଘଟଣା ଘଟିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ପଟୁ ରାୟଗଡ଼ା କିମ୍ବା ଲାଞ୍ଜିଗଡ଼ ଯାଉଥିବା ଯାନବାହନକୁ କଦଳୀଘାଟି ଛକରୁ ବିକଳ୍ପ ରାସ୍ତା ଦେଇ ଯିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ରାୟଗଡ଼ା ଓ ଲାଞ୍ଜିଗଡ଼ ପଟୁ ଆସୁଥିବା ଯାନବାହନଗୁଡ଼ିକୁ ମଧ୍ୟ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କୁହାଯାଇଛି। ଖବର ଲେଖାହେବI ପର୍ଯ୍ୟନ୍ତ ଗ୍ୟାସ ଟ୍ୟାଙ୍କର ଉଦ୍ଧାର ହୋଇ ନ ଥିବା ବେଳେ ଯାତାୟାତ ବନ୍ଦ ରହିଛି।

