ଏଲପିଜି ସିଲିଣ୍ଡରରେ ରହିବ କ୍ୟୁଆର କୋଡ, ଗ୍ୟାସ ଚୋରି ହେବ ବନ୍ଦ…

ନୂଆଦିଲ୍ଲୀ,୧୭।୧୧ : ଏଲପିଜି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାୟତଃ ଗ୍ରାହକମାନେ ଅଭିଯୋଗ କରନ୍ତି ଯେ ସେମାନଙ୍କ ଘରୋଇ ଗ୍ୟାସ ସିଲିଣ୍ଡରରେ ଗ୍ୟାସର ପରିମାଣ ୧ ରୁ ୨ କିଲୋଗ୍ରାମ କମ ରହୁଛି। ଏଭଳି ବହୁ ଥର ଅଭିଯୋଗ କରିବା ପରେ ମଧ୍ୟ ଗ୍ରାହକମାନେ କୌଣସି ସୁଫଳ ପାଇପାରୁ ନାହାନ୍ତି। ଚୋରଙ୍କୁ ଧରାଯାଇ ପାରୁନି।

ଏହି କାରଣରୁ ଯେଉଁମାନେ ଗ୍ୟାସ ଚୋରି କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ। କିନ୍ତୁ ବର୍ତ୍ତମାନ ଏଭଳି ଲୋକଙ୍କୁ ଧରିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ବର୍ତ୍ତମାନ ଏଲପିଜି ସିଲିଣ୍ଡରଗୁଡ଼ିକରେ କ୍ୟୁଆର କୋଡ ରଖିବାକୁ ଯାଉଛନ୍ତି। ଏହା ସହିତ ଗ୍ରାହକମାନେ ଅନେକ ସୁବିଧା ମଧ୍ୟ ପାଇ ପାରିବେ।

ଏହି ପ୍ରସଙ୍ଗରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ ବର୍ତ୍ତମାନ ସରକାର ଗ୍ୟାସ ଚୋରିକୁ ରୋକିବା ପାଇଁ ଏଲପିଜି ସିଲିଣ୍ଡରରେ କ୍ୟୁଆର କୋଡ ରଖିବାକୁ ଯାଉଛନ୍ତି। ଏହା କିଛି ମାତ୍ରାରେ ଆଧାର କାର୍ଡ ପରି ହେବ। ଏହି କୋଡ ମାଧ୍ୟମରେ ଗ୍ୟାସ ସିଲିଣ୍ଡରର ଟ୍ରାକିଂ କରିବା ଅତି ସହଜ ହେବ। ଏହା ସହିତ, ଯଦି କେହି ଗ୍ୟାସ ସିଲିଣ୍ଡରରେ ଗ୍ୟାସ ଚୋରି କରନ୍ତି, ତେବେ ଏହାକୁ ଟ୍ରାକ କରାଯାଇ ପାରିବ।

ଚୋରି ଧରିବା ବ୍ୟତୀତ, ଏହି କୋଡର ଅନ୍ୟାନ୍ୟ ବହୁ ଲାଭ ଅଛି। ଏହା ଦ୍ୱାରା ଗ୍ରାହକମାନେ ଜାଣିବେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କେତେଥର ଗ୍ୟାସ ରିଫିଲ ହୋଇଛି। ଏହା ସହିତ ଗ୍ୟାସ ରିଫିଲିଂ କେନ୍ଦ୍ରରୁ ଘରେ ପହଞ୍ଚିବା ପାଇଁ କେତେ ସମୟ ଲାଗିଛି। ଏହା ସହିତ, ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡରକୁ ବାଣିଜି୍ୟକ କାର୍ଯ୍ୟ ପାଇଁ କେହି ବ୍ୟବହାର କରିପାରିବେ ନାହିଁ କାରଣ ଏହି କୋଡରୁ ଏହା ମଧ୍ୟ ଜଣା ପଡିବ ଯେ କେଉଁ ଡିଲରଙ୍କ ଦ୍ୱାରା ଗ୍ୟାସ ସିଲିଣ୍ଡର ବିତରଣ କରାଯାଇଛି।

Share