ସୀମା ଲଂଘିଲା ଲୋୟର ଇନ୍ଦ୍ର ପ୍ରକଳ୍ପ ପାଣି

ନୂଆପଡ଼ା,୨୯।୯(ମକାରୁ ବେମାଲ): ନୂଆପଡା ଜିଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ଖଡିଆଳ ଓ କୋମନା ମଧ୍ୟ ଭାଗରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଳିରେ ଜଲସ୍ତର ବଢିବାରେ ଲାଗିଛି। ପ୍ରକଳ୍ପରେ ବନ୍ୟା ଜଳ ନିଷ୍କାସନ କରାଯାଉ ନ ଥିବାରୁ ପାଣି ଏଏଫଆର ଲାଇନ ଅତିକ୍ରମ କରି ସାରିଲାଣି। ପ୍ରକଳ୍ପରେ ଯେତେ ଏରିଆରେ ପାଣି ରହିବା କଥା ଏଏଫ୍‌ଆର୍‌ ଖୁଣ୍ଟ ପୋତାଯାଇଛି। ଜଳସ୍ତର କ୍ଷମତା ଅଧିକ ବଢି ଯାଇଥିବାରୁ କୋମନା ବ୍ଲକ ରଜନା ଗାଁର ଅଧିକାଂଶ ଚାଷୀଙ୍କ ଅଣ ବୁଡି ଜମିକୁ ପାଣି ଯାଇ ଧାନ, ପନିପରିବା, ଡାଲି ଜାତୀୟ ଫସଲ, ଆମ୍ବ, ପଣସ, ଡାଳିମ୍ବ, ପିଜୁଳି ଇତ୍ୟାଦି ଭଳି ଅର୍ଥକାରୀ ଗଛ ସବୁ ନଷ୍ଟ ହେବାରେ ଲାଗିଛି। ଚାଷୀ କେତେ ପରିଶ୍ରମ କରି ଫଳ ଗଛ ଲଗାଇଥିବା ବେଳେ ଥରେ ଉପତ୍ାଦନ କଲେ ବର୍ଷଯାକ ଚାଷୀ ଖୁସିରେ ଚଳିଥାଏ। ସେହି ଫସଳ ସବୁ ନଷ୍ଟ ହୋଇ ଯାଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସରକାର ଜମି ଅଧିଗ୍ରହଣ କଲା ସମୟରେ ଏଏଫଆର ଲାଇନ ପର୍ଯ୍ୟନ୍ତ ଜଳ ମଗ୍ନ ହେବ ବୋଲି କହିଥିଲେ। ହେଲେ ଲଗାଣ ବର୍ଷାରେ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ଏଏଫଆର ଲାଇନଠାରୁ ୩ ଶହ ମିଟରରୁ ଊର୍ଦ୍ଧ୍ୱ ବାହାରକୁ ମାଡି ଯାଇଥିବାରୁ ଫସଲ ସବୁ ନଷ୍ଟ ହେବା ସହ ମୂଲ୍ୟବାନ ଗଛ ସବୁ ନଷ୍ଟ ହେବାରେ ଲାଗିଛି। ଫସଲ ନଷ୍ଟ ହୋଇ ଗଲେ ପରିବାର କେମିତି ଚଳାଇବୁ ବୋଲି ଚାଷୀ ଚିନ୍ତାରେ ରହିଛନ୍ତି। ରଜନା ଗାଁର ଭିକରାମ ହାତିଙ୍କ ୭୫ ଡେସିମିଲ, ଲଛ ହାତି ୧ ଏକର, ଲକ୍ଷୀ କେତକି ୫୪ ଡେସିମିଲ, ଡୋଲା ଶଗରିଆଙ୍କ ୧.୨୦ ଡେସିମିଲ, ପଞ୍ଚୁରାମ ହାତି, କୁମର ହାତି, ଲଳିତ ହାତି, ଘନଶ୍ୟାମ କେତକି, ଅକୁର କେତକି ଓ ଗାଁର ଅନ୍ୟ ଚାଷୀମାନଙ୍କ ମଧ୍ୟ ଅଣ ବୁଡି ଜମି ପ୍ରକଳ୍ପ ପାଣିରେ ବୁଡି ଯାଇଛି। ନଷ୍ଟ ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ରାଶି ଦିଆଯାଉ ଓ ଫସଲ ସମ୍ପୂର୍ଣ୍ଣ ନଷ୍ଟ ନ ହେବା ପୂର୍ବରୁ ପ୍ରକଳ୍ପ ପାଣି ଛଡାଯାଉ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ରଜନା ଅଞ୍ଚଳର ଚାଷୀମାନେ ଚେତାବନୀ ଦେଇଛନ୍ତି।