ଜଳସ୍ତର ନିମ୍ନଗାମୀ: ପାଣି ମୁନ୍ଦେ ପାଇଁ ଜନବସତିମୁହାଁ ହେଉଛନ୍ତି ପଶୁପକ୍ଷୀ, ଫାଇଦା ଉଠାଉଛନ୍ତି ଶିକାରୀ

ମହାକାଳପଡ଼ା, ୨୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପଶ୍ଚିମା ପବନ ବହିବା ଯୋଗୁ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଜଳସ୍ତର ନିମ୍ନଗାମୀ ହେଲାଣି। ଫଳରେ ଜଙ୍ଗଲୀ ଜନ୍ତୁ ଓ ପଶୁପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟ ସଙ୍କଟ ଦେଖିବାକୁ ମିଳୁଛି। ଯେଉଁ ଖାଲଖମାରେ ଟୋପେ ପାଣି ରହିଛି, ସେଠାରେ ପାଣି ଓ ଖାଦ୍ୟ ପାଇଁ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଛି। କେତେକ ପକ୍ଷୀ ଶିକାରୀ ଏହାର ଫାଇଦା ନେଇ ବିଷ ଫାଶ ବସାଇ ଶିକାର କରିବା ପୂର୍ବରୁ ନଜିର ରହିଛି। ଏମାନଙ୍କର ସୁରକ୍ଷା ଓ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ବନ ବିଭାଗ କର୍ମଚାରୀ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ହୋଇ ପଡିଛି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଦୁଇଦିନ ପୂର୍ବରୁ ଏକ ହରିଣ ଖାଦ୍ୟ ଓ ପାଣି ପାଇଁ ଜଙ୍ଗଲରୁ ବାହାରି ଜନବସତିମୁହାଁ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା। ଜଙ୍ଗଲ ପାର୍ଶ୍ୱରେ ଚୁଆ ଖନନ କରିବା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଓଁକରଙ୍କୁ ପଚାରିବାରେ ଜଙ୍ଗଲରେ ଚୁଆ ଖନନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Dharitri –Odisha’s No.1 Trusted Odia Daily

Share