ସ୍ବଳ୍ପ ବୃଷ୍ଟିପାତ: ଖରିଫ ଧାନ ଫସଲ ବାଧାପ୍ରାପ୍ତ

ପାଟକୁରା, ୨୧ା୮(ରବୀନ୍ଦ୍ର ନାଥ ବାରିକ ):ଗରଦପୁର ବ୍ଲକ ଅଧୀନ ବେଦାରୀ ପଦ୍ମପୁର, ପାଟକୁରା ଓ ଗରଦପୁର ୩ଟି ପଞ୍ଚାୟତ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଖରିଫ ଧାନ ଫସଲ ବାଧାପ୍ରାପ୍ତ ହୋଇଛି। ଶତାଧିକ ଏକର ଜମି ବର୍ଷା ଅଭାବରୁ ଚାଷ ହୋଇପାରୁନି। ଧାନତଳି ସବୁ ବୁଢା ହୋଇଗଲାଣି। ବେଦାରୀ ପଦ୍ମପୁର ଓ ପାଟକୁରା ଅଞ୍ଚଳରେ ମୁଖ୍ୟତଃ ଧାନରୁଆ ହୋଇ ଚାଷ ହୋଇଥାଏ। ପାଣି ଅଭାବରୁ ଜମି କାଦୁଅ ହୋଇପାରୁନି। ଫଳରେ ଧାନ ରୋଇବା ସମ୍ଭବ ହେଉନି। ତଳି କିଆରିରେ ପାଣି ନ ଥିବାରୁ ତଳିରେ ପୋକ ଲାଗିଲେଣି। ଜମି ନିକଟ ଖାଲଖମାରେ ପାଣି ନ ଥିବାରୁ ସେଗୁଡିକ ଶୁଖିଲା ପଡିଛି। ସେଥିରେ ପାଣିଥିଲେ ଚାଷୀ ପମ୍ପ ଯୋଗେ ପାଣି ଉଠାଇ କିଛି କିଛି ଚାଷ କରିପାରିଥାନ୍ତେ। ସରକାରଙ୍କ ସେଚ ପଏଣ୍ଟଗୁଡ଼ିକ ୩୦ ବର୍ଷ ହେବ ଅଚଳ ହୋଇପଡ଼ିଛି। ସେଗୁଡିକ ସଚଳ ଥିଲେ ଚାଷ ହୋଇପାରନ୍ତା। ଏପରି ଅବସ୍ଥାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି, ହେଲେ ସରକାରଙ୍କର ଏଥିପ୍ରତି ନିଘା ନାହିଁ।