ଭୁବନେଶ୍ବର,୧୦।୧୧: ପୁଣି ବଦଳିବ ପାଗ। କିଛିଦିନର ଶୁଖିଲା ଓ ଆରାମଦାୟକ ପାଗ ପରେ ରାଜ୍ୟରେ ପୁନର୍ବାର ବର୍ଷା ହୋଇପାରେ । ୧୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ କେତେଦିନ ଏବଂ କେଉଁ ସ୍ଥାନରେ ବର୍ଷା ହେବ ସେନେଇ କୌଣସି ଆକଳନ କରାଯାଇ ନାହିଁ ।
ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ, ନଭେମ୍ବର ୧୦ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ସେହିପରି ୧୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ସମେତ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଏବଂ ୧୨ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ଆକଳନ କରାଯାଇଛି।
ଅନ୍ୟପଟେ ବର୍ଷା ସହିତ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।