ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହେଉଥିବା ବେଳେ ଆଉ କେଉଁଠି ଗାଁ ରାସ୍ତା ଧୋଇ ହୋଇଯାଇଛି। ଦିନବେଳେ ଝିପିଝିପି ବର୍ଷା ଲାଗି ରହୁଥିବା ବେଳେ ସନ୍ଧ୍ୟା ହେଲେ ପ୍ରବଳ ବର୍ଷା ହେଉଛି।

ଏହାର ପ୍ରଭାବରେ ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ ସିର୍କାବର୍ଗ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଏକ ବିରାଟକାୟ ପୁରାତନ ଗଛ ଉପୁଡ଼ି ପଡ଼ିଛି। ଫଳରେ ଦାରିଙ୍ଗବାଡ଼ିଠାରୁ ସିର୍କାବର୍ଗ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏପରିକି ଅଞ୍ଚଳବାସୀଙ୍କୁ ଜରୁରୀକାଳୀନ ସେବା ମଧ୍ୟ ଉପଲବ୍ଧ ହୋଇପାରୁନାହିଁ।

ଘଟଣା ସମ୍ପର୍କରେ ଅଞ୍ଚଳବାସୀ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ବିଭାଗୀୟ ଅଧିକାରୀ ଓ ଅଗ୍ନିବୀରମାନେ ଆବଶ୍ୟକ ଯନ୍ତ୍ରପାତି ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ଗଛକୁ କାଟି ହଟାଇବାରେ ଲାଗିଥିଲେ। ପ୍ରାୟ ୩ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ଖବର ଲେଖା ହେବା ସୁଦ୍ଧା ରାସ୍ତାରୁ ଗଛଟିକୁ ସମ୍ପୂର୍ଣ୍ଣ ହଟାଇବା ସମ୍ଭବ ହୋଇ ନ ଥିବା ଜଣାପଡ଼ିଛି।

ଏନେଇ ବାଡ଼ାଙ୍ଗିଆ ଗ୍ରାମର କୈଳାଶ ବଳିୟାରସିଂ ଓ ଅନ୍ୟମାନେ ଅଭିଯୋଗ କରି କହିଛନ୍ତି ଯେ, ସିର୍କାବର୍ଗକୁ ସଂଯୋଗ କରୁଥିବା ରାସ୍ତାଟି ଖାଲଖମାରେ ପରିଣତ ହୋଇଥିବା ବେଳେ ରାସ୍ତାକଡ଼ରେ ରହିଥିବା ପୁରୁଣା ଗଛଗୁଡ଼ିକ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି।

ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ରାସ୍ତାର ମରାମତି କରିବା ସହ ବିପଦସଂକୁଳ ଅବସ୍ଥାରେ ଥିବା ପୁରୁଣା ଗଛଗୁଡ଼ିକୁ ଚିହ୍ନଟ କରି ହଟାଇବାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share