ଜୀବିକାରେ ବାଧକ ସାଜିଛି ଲଘୁଚାପ ବର୍ଷା, ସମୁଦ୍ରରୁ କୂଳକୁ ଫେରୁଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୬ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଭୀଷଣ ବର୍ଷା ସହିତ ପବନ ବହିବାର ଆଶଙ୍କା ଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ଫଳରେ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ଗଭୀର ସମୁଦ୍ରରୁ ଡଙ୍ଗା ଧରି ଫେରୁଥିବା କେତେକ ମତ୍ସ୍ୟଜୀବୀ କହିଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଉପକୂଳ ଅଞ୍ଚଳର ୧୦ ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ସମୁଦ୍ରରୁ ମାଛମାରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ସୃଷ୍ଟି ହେବା ଖବର ଜଣାପଡିବା ପରେ ମାଛଧରା ବାଧାପ୍ରାପ୍ତ ହେଲା ବୋଲି ମତ୍ସ୍ୟଜୀବୀ ଲକ୍ଷ୍ମଣ ମଣ୍ଡଳ, ତାପସ ଦାସ, ମୃତ୍ୟୁଞ୍ଜୟ ଦାସ, ହରିହର ଦାସ, ଖୋକନ ମଣ୍ଡଳ, ମଙ୍ଗଳା ଦାସ ଓ ହରିପଦ ମଣ୍ଡଳ ପ୍ରମୁଖ କହିଛନ୍ତି। ବିଶେଷ କରି ଜମ୍ବୁ, ବତୀଘର, ରାମନଗର, ଖରୀନାଶି, ପେଟଛେଲା, ବଉଳ କଣି, ସୁନିତି, ତନ୍ତିଆପାଳ, ଶାସନ ପେଟା, ରଟପଙ୍କ, ଓସ୍ତିରା ଓ କଣ୍ଡରା ପାଟିଆ ଆଦି ଅଞ୍ଚଳର ଶତାଧିକ ମତ୍ସ୍ୟଜୀବୀ ସମ୍ଭାବ୍ୟ ଲଘୁଚାପକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ ଏହି ସମୁଦ୍ର କୂଳ ଅଞ୍ଚଳରେ ପ୍ରଚୁର ପରିମାଣରେ ଲୁଣା ହେନ୍ତାଳ ବଣ ସୃଷ୍ଟି ହୋଇଛି। ଫଳରେ ସାମୁଦ୍ରିକ ଝଡ଼ ତୋଫାନକୁ ରୋକିବାରେ ଏହା ସହାୟକ ହେବ ବୋଲି ପରିବେଶବିତ୍‌ ସୁବାସ ସ୍ବାଇଁ ମତ ଦେଇଛନ୍ତି।

Dharitri – Odisha’s No.1 Odia Daily

Share