ଲଘୁଚାପ: ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୫ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ଯୋଗୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପିପିଲିରେ ୧୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ନିମାପଡ଼ା ୧୩, ବାଲିପାଟଣା ୧୧, ଦେବଗଡ଼ ୧୦, ଗୋପ ୧୦, ଚାନ୍ଦବାଲି ୧୦, ସତ୍ୟବାଦୀ ୯, କାକଟପୁର ୭, ଯୋଡ଼ା, କୋଟପାଡ଼, କୁଚିଣ୍ଡା, ଭଦ୍ରକ, ଝୁମ୍ପୁରାରେ ୭ ସେଣ୍ଟିମିଟର ଲେଖାଏ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲାପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ, ଅନୁଗୋଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ୪ ଓ ୫ ତାରିଖରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଜିଲାପାଳମାନଙ୍କୁ ମଧ୍ୟ ସତର୍କ କରି ଦିଆଯାଇଛି। ଯେ କୌଣସି ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ଚଠି ଲେଖି ଜଣାଇ ଦିଆଯାଇଛି। ଦୁଇଦିନ ବର୍ଷିବା ପରେ ଲଘୁଚାପ ବୁଧବାର ଅପରାହ୍ନ ସୁଦ୍ଧା ଛତିଶଗଡ଼ ଦେଇ ଗୁଜରାଟ ଆଡ଼େ ଚାଲିଯିବାର ସମ୍ଭାବନା ରହିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁ କେତେକ ନଦୀରେ ବନ୍ୟା ଜଳ ଆସିବା ସମ୍ଭାବନା ରହିଛି। ବଡ଼ ବଡ଼ ନଦୀ ଓ ଡ୍ୟାମ୍‌ ଖାଲି ରହିଥିବାରୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆସନ୍ତା ୯ ତାରିଖରେ ହେବାକୁ ଥିବା ଆଉ ଏକ ଲଘୁଚାପ ଦକ୍ଷିଣ ଓଡ଼ିଶାରେ ବନ୍ୟ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି। ବଂଶଧାରା, ଋଷିକୁଲ୍ୟା ଆଦିରେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ୯ରୁ ୧୧ ତାରିଖ ୩ ଦିନ ଯାଏ ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଇଛି।