ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ରହିଥିବାବେଳେ ଉତ୍ତର ପଶ୍ଚିମକୁ ଢଳି ରହିଛି। ମୌସୁମୀ ଅକ୍ଷ ରେଖା ଜମ୍ମୁ, ଡେରାଡୁନ, ବାରାବାଙ୍କୀ, ପାଟନା, ବାଙ୍କୁରା, କ୍ୟାନିଂ ଦେଇ ପୂର୍ବ-ମଧ୍ୟ ବଙ୍ଗୋପସାଗର ଆଡ଼କୁ ବିସ୍ତାରିତ ହୋଇଛି। ଫଳରେ ବର୍ଷା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ତେବେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବୁଧବାର ସାରା ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ଅନ୍ୟାନ୍ୟ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବର୍ଷା ସମୟରେ ସମୁଦ୍ର ମୁଖ୍ୟତଃ ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡ଼ା ରାଜନଗରରେ ସର୍ବାଧିକ ୧୫ ସେ.ମି. ବର୍ଷା ହୋଇଥିବାବେଳେ ଆଳିରେ ୧୩ ସେ.ମି., ବାଲେଶ୍ୱରର ଏନ୍ଏଚ୍-୫ ଗୋବିନ୍ଦପୁର ଓ ଯାଜପୁର ଜିଲାର ବାରୀରେ ୧୨ ସେ.ମି., ମୟୂରଭଞ୍ଜର ବେତନଟୀ ଏବଂ ବାଲେଶ୍ୱରରେ ୧୦ ସେ.ମି. ବର୍ଷା ହୋଇଛି। ସେହିପରି ଜୁନ୍ ୧ରୁ ଜୁଲାଇ ୧୪ ମଧ୍ୟରେ ରାଜ୍ୟରେ ୩୫୪.୭ ମି.ମି. ବର୍ଷା ରେକର୍ଡ ହୋଇଛି। ଏହାଦ୍ୱାରା ସ୍ବାଭାବିକ ବର୍ଷାଠାରୁ ରାଜ୍ୟରେ ୩ ମି.ମି. ଅଧିକ ବର୍ଷା ହୋଇଥିବା ସୂଚନା ଦିଆଯାଇଛି।