ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନାନୁଯାୟୀ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ୧୨ ତାରିଖ ଯାଏ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ବର୍ଷା ହେବ। ତେବେ ୧୦ ତାରିଖ ଗୁରୁବାର ପାଇଁ ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଜାରି ହୋଇଛି। ସେହିପରି ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ନିଂ ଦିଆଯାଇଛି। ବଜ୍ରପାତକୁ ନେଇ ମଧ୍ୟ ସତର୍କ କରାଯାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଦି ୧୧ ଜିଲାକୁ ବିଜୁଳି, ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ଝଟ୍କା ପବନ ସହ ଝଡ଼ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ତେବେ ଆସନ୍ତା ୧୧ରେ ବର୍ଷାର ପରିମାଣ ଆହୁରି ବଢ଼ିବ। ଉକ୍ତ ଦିନ ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ରହିଛି। କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଅବଶିଷ୍ଟ ୧୩ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ଝଟ୍କା ପବନ ନେଇ ୟେଲୋ ଓ୍ବାର୍ନିଂ ରହିଛି। ପବନ ପାଇଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।