ଭୁବନେଶ୍ୱର, ୨୯।୧୦: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ। ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ହେବା ସମ୍ଭାବନା। ଓଡ଼ିଶାରେ ଏହାର ପ୍ରଭାବ କ’ଣ ରହିବ ସ୍ପଷ୍ଟ ସୂଚନା ନାହିଁ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ରହିବ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଏବଂ ଦେବଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ଗତ ୨୪ ଘଣ୍ଟାରେ ଗଜପତି ଜିଲା ମହେନ୍ଦ୍ରଗିରିଠାରେ ସର୍ବାଧିକ ୨୪୯.୯ ମି.ମି. ବର୍ଷା ରେକର୍ଡ ହୋଇଥିଲା। କୋରାପୁଟ ଜିଲା ପଟ୍ଟାଙ୍ଗୀଠାରେ ୧୮୮ ମି.ମି., ଗଜପତି ଜିଲା ମୋହନାଠାରେ ୧୬୮.୮ ମି.ମି., ଗଞ୍ଜାମରେ ୧୬୧.୪ ମି.ମି., କୋରାପୁଟର ସିମିଳିଗୁଡାଠାରେ ୧୪୩.୧ ମି.ମି., ଗଞ୍ଜାମର ଦିଗପହଣ୍ଡିଠାରେ ୧୩୯.୫ ମି.ମି., ଗଜପତିର ଗୁମ୍ମାଠାରେ ୧୩୫ ମି.ମି., ଗଞ୍ଜାମର ବ୍ରହ୍ମପୁରଠାରେ ୧୩୧.୪ ମି.ମି., ଗଜପତିର ଗୋଷାଣୀରେ ୧୨୮ ମି.ମି., ଗଞ୍ଜାମର କୁକୁଡାଖଣ୍ଡିଠାରେ ୧୨୭ ମି.ମି., ସାନଖେମୁଣ୍ଡିରେ ୧୧୪ ମି.ମି., ଗଜପତିର କାଶୀନଗରରେ ୧୦୭.୨ ମି.ମି. ବର୍ଷା ରେକର୍ଡ ହୋଇଥିଲା।