ରାଜ୍ୟରେ କମିବ ମଦ ଦର: ସ୍ପେଶାଲ କୋଭିଡ୍‌ ଫି’ ୫୦ରୁ ୧୫%କୁ ହ୍ରାସ

ଭୁବନେଶ୍ୱର,୯ା୭(ବ୍ୟୁରୋ)-ରାଜ୍ୟରେ ମଦ ଦର କମିବ। ରାଜ୍ୟ ସରକାର ସ୍ପେଶାଲ କୋଭିଡ୍‌ ଫି’ ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସାଇ ଦେଇଛନ୍ତି। ବିଭିନ୍ନ ବ୍ରାଣ୍ଡ୍‌ର(ଏଫ୍‌ଏମ୍‌ଏଫ୍‌ଏଲ୍‌, ଆଇଏମ୍‌ଏଫ୍‌ଏଲ୍‌, ବିୟର, ଓ୍ବାଇନ, ଆର୍‌ଟିଡି) ମଦ ଉପରେ ରାଜ୍ୟ ସରକାର ସର୍ବାଧିକ ଖୁଚୁରା ଦର(ଏମ୍‌ଆର୍‌ପି) ୧୫ ପ୍ରତିଶତ ଦର ବୃଦ୍ଧି କରିଛନ୍ତି। ସେହି ମଦଗୁଡିକର ନୂତନ ଦର ଶୁକ୍ରବାର ଠାରୁ ଲାଗୁ କରାଯିବ। ଓଡିଶା ପାନୀୟ ନିଗମ( ଓଏସବିସି)ଓ୍ବେସାଇଟ(www.osbc.co.in.)ରେ ନୂତନ ମଦ ଦର ଉପଲବ୍ଧ ହେବ। ଏ ନେଇ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
କରୋନା ମହାମାରୀ କଟକଣା ଯୋଗୁ ଦୀର୍ଘ ଦେଢମାସ କାଳ ମଦ ଦୋକାନ ବନ୍ଦ ରହିଥିଲା। ମେ ୨୪ ତାରିଖରେ ସରକାର ମଦ ଅନଲାଇନରେ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ଏହା ପରେ ଜୁଲାଇ ପହିଲାରୁ କାଉଣ୍ଟରରେ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ସ୍ପେଶାଲ କୋଭିଡ ଟିକସ ଲାଗୁ କରିବା ପରେ ରାଜ୍ୟ ସରକାରଙ୍କୁ ୨୦୦ କୋଟି ଟଙ୍କାର କୋଭିଡ ଟିକସ ମିଳି ପାରିଛି। ଟିକସ ବୃଦ୍ଧି ଯୋଗୁ ମଦ ବିକ୍ରି ହ୍ରାସ ପାଇଥିଲା। ଟିକସ କମାଇବାକୁ ଖୁଚୁରା ବ୍ୟବସାୟୀମାନେ ଦାବି କରି ଆସୁଥିଲେ। ବ୍ୟବସାୟ ହ୍ରାସ ପାଇବା ଯୋଗୁ ଟିକସକୁ ସରକାର କମାଇ ଦେଇଛନ୍ତି।