ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨ କୋଟି ଲିଟରରୁ ଅଧିକ ପେଟ୍ରୋଲ ହରାଉଛି, ଯାହାର ଆନୁମାନିକ ମୂଲ୍ୟ ୪,୫୦୦ କୋଟି ଟଙ୍କାରୁ ଅଧିକ। ଶିଳ୍ପ ସଂଗଠନ ଅଟୋମୋଟିଭ ଟାୟାର ମାନୁଫ୍ୟାକଚରର୍ସ ଆସୋସିଏଶନ (ଏଟିଏମ୍‌ଏ)ର ବୈଷୟିକ ଶାଖା ‘ଇଣ୍ଡିଆନ ଟାୟାର ଟେକ୍ନିକାଲ ଆଡଭାଇଜରି କମିଟି’ ପକ୍ଷରୁ କରାଯାଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନରୁ ଏହି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ଭାରତୀୟ ସଡ଼କରେ ଚାଲୁଥିବା ଅଧିକାଂଶ ଯାତ୍ରୀବାହୀ ଗାଡ଼ି ନିର୍ଦ୍ଧାରିତ ସ୍ତରଠାରୁ କମ୍‌ ପବନ ନେଇ ଗଡୁଛି, ଫଳରେ ବ୍ୟାପକ ପରିମାଣର ଇନ୍ଧନ ଅପଚୟ ହେବା ସହ ଗାଡ଼ି ମାଲିକଙ୍କ ପକେଟ ଉପରେ ବୋଝ ବଢ଼ୁଛି ଏବଂ ସଡ଼କ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ଦୁଇଚକିଆ ଯାନ ସମେତ ପ୍ରାୟ ୧.୩ ଲକ୍ଷରୁ ଅଧିକ ଯାତ୍ରୀବାହୀ ଗାଡ଼ିର ଟାୟାର ପ୍ରେସର ଯାଞ୍ଚ କରାଯାଇଥିଲା, ଯେଉଁଥିରୁ କେବଳ ଗତବର୍ଷ ହିଁ ପ୍ରାୟ ୧ ଲକ୍ଷ ଟାୟାରର ଅନୁସନ୍ଧାନ କରାଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରାୟ ୩୨ ପ୍ରତିଶତ ଗାଡ଼ିର ଟାୟାରରେ ନିର୍ଦ୍ଧାରିତ ସ୍ତରଠାରୁ ୨୦% କମ୍‌ ପବନ ରହୁଥିବା ବେଳେ ଅନ୍ୟ ୨୧% ଗାଡ଼ିରେ ପବନର ମାତ୍ରା ୧୦ରୁ ୨୦% କମ୍‌ ରହୁଛି। ଅନ୍ତର୍ଜାତୀୟ ଅଧ୍ୟୟନ ଅନୁସାରେ, ଟାୟାରର ପବନ ଚାପ ପ୍ରତି ୧ ପିଏସ୍‌ଆଇ ହ୍ରାସ ପାଇଲେ ଗାଡ଼ିର ମାଇଲେଜ ବା ଇନ୍ଧନ ଦକ୍ଷତା ପ୍ରାୟ ୦.୨ ପ୍ରତିଶତ କମିଯାଇଥାଏ।
ଏହି ସର୍ବେକ୍ଷଣ ତଥ୍ୟ ଆଧାରରେ ସଂଗଠନ ଆକଳନ କରିଛି ଯେ, କମ୍‌ ପବନ ଯୋଗୁ ଭାରତର ମୋଟ ଗାଡ଼ି ଇନ୍ଧନର ପ୍ରାୟ ୦.୭୫ ପ୍ରତିଶତ ଅପଚୟ ହେଉଛି। ବର୍ତ୍ତମାନ ଭାରତରେ ବାର୍ଷିକ ପେଟ୍ରୋଲ ବ୍ୟବହାର ପ୍ରାୟ ୫୬.୭୭ ବିଲିୟନ ଲିଟର ଥିବାବେଳେ ଏହି ଆଧାରରେ ବାର୍ଷିକ ପ୍ରାୟ ୪୨.୫୭ କୋଟି ଲିଟର ପେଟ୍ରୋଲ ନଷ୍ଟ ହେଉଛି, ଯାହାର ବଜାର ମୂଲ୍ୟ ୪,୫୦୦ କୋଟି ଟଙ୍କାରୁ ଅଧିକ। ତେବେ ଏହି ଆକଳନ କେବଳ ପେଟ୍ରୋଲ ଗାଡ଼ି ପାଇଁ କରାଯାଇଛି ଏବଂ ଏଥିରେ ଡିଜେଲ, ସିଏନ୍‌ଜି କିମ୍ବା ଏଲ୍‌ପିଜି ଚାଳିତ ଗାଡ଼ିକୁ ସାମିଲ କରାଯାଇନାହିଁ। ଯଦି ସେଗୁଡ଼ିକୁ ମିଶାଯାଏ, ତେବେ ଜାତୀୟ ସ୍ତରରେ ଇନ୍ଧନ ନଷ୍ଟର ପରିମାଣ ବହୁ ଅଧିକ ହେବ। କମିଟିର ଅଧ୍ୟକ୍ଷ ରେଞ୍ଜି ଇସାକ୍‌ କହିଛନ୍ତି, ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁ ତୈଳ ଦର ବଢ଼ିଥିବା ବେଳେ ଟାୟାରର ପବନ ଠିକ୍‌ ରଖିବା ଘରୋଇ ବଜେଟ ବଞ୍ଚାଇବାର ସବୁଠାରୁ ସହଜ ଉପାୟ। ଏହାସହ କମ୍‌ ପବନ ଯୋଗୁ ଗାଡ଼ିରୁ ଅଧିକ ଗ୍ୟାସ ନିର୍ଗତ ହୋଇ ବାୟୁ ପ୍ରଦୂଷଣ ମଧ୍ୟ ବଢ଼ିଥାଏ।
ସଂଗଠନର ସୁରକ୍ଷା ସଚେତନତା ଗ୍ରୁପ ଅଧ୍ୟକ୍ଷ ସୁଦର୍ଶନ ଏସ୍‌. ଗୁସେଁ ଚେତାବନୀ ଦେଇ କହିଛନ୍ତି, ଆର୍ଥିକ କ୍ଷତି ବ୍ୟତୀତ କମ୍‌ ପବନ ଯୋଗୁ ଗୁରୁତର ସଡ଼କ ସୁରକ୍ଷା ବିପଦ ମଧ୍ୟ ସୃଷ୍ଟି ହୋଇଥାଏ। କମ୍‌ ପବନ ଥିବା ଟାୟାର ଚାଲିବା ସମୟରେ ଅଧିକ ଗରମ ହୋଇଯାଏ, ଯାହାଫଳରେ ହଠାତ୍‌ ଟାୟାର ଫାଟିଯିବାର ଆଶଙ୍କା ଥାଏ। ସେହିପରି ଗାଡ଼ିର ସନ୍ତୁଳନ ଏବଂ ବ୍ରେକ୍‌ ମାରିବା କ୍ଷମତାକୁ ପ୍ରଭାବିତ କରେ, ଯଦ୍ଦ୍ବାରା ବ୍ରେକ୍‌ ମାରିବା ପରେ ଗାଡ଼ି ଅଟକିବା ପାଇଁ ଅଧିକ ସମୟ ଓ ଦୂରତା ନେଇଥାଏ। କମ୍‌ ପବନ ଯୋଗୁ ଟାୟାର ଶୀଘ୍ର ଏବଂ ଅସମାନ ଭାବେ କ୍ଷୟ ହୋଇଥାଏ, ଯାହାଫଳରେ ଏହାର ଆୟୁଷ କମିଯାଏ ଏବଂ ଗାଡ଼ି ମାଲିକଙ୍କ ଟାୟାର ବଦଳାଇବା ଖର୍ଚ୍ଚ ବଢ଼ିଥାଏ।

 

Dharitri – Odisha’s No.1 Odia Daily

Share