ପ୍ରେମ ପଞ୍ଚାୟତୀ

ଡ. କୁଳାଙ୍ଗାରା

କଥା କ’ଣ କି ଲୋକଙ୍କ ସେବାରେ ଯାବତୀୟ ଠିକାଦାରି ଓ ଯୋଜନାର ବିଲ୍‌ କରିବାରେ ବ୍ୟସ୍ତ ସରପଞ୍ଚ ପନ୍ଦାରି ପୁହାଣ ନିଜେ ବିବାହ କରିବା ଭୁଲି ଯାଇଥିଲେ। ଯଦିଓ ନିନ୍ଦୁକଙ୍କ ମତରେ ଅନେକଙ୍କ ଘରେ ସିଏ ଜ୍ୱାଇଁ ମର୍ଯ୍ୟାଦା ପାଇ ସାରିଥିଲେ, ଆଇନଗତ ଭାବରେ ବାବୁ କିନ୍ତୁ ଅବିବାହିତ ଥିଲେ। ତେବେ କରୋନା କାଳରେ ସହରରେ ରହୁଥିବା ଜନୈକ ସଫ୍ଟଓ୍ବେର ଇଞ୍ଜିନିୟର ବିବାହିତ ଗ୍ରାମବାସୀ ଯେବେ ଘରୁ କାମ କରିବାକୁ ଚାଲିଆସିଲେ ଏବଂ ଗାଁ ଟୋକାଙ୍କ ପାଇଁ ସୌକରେ ଖର୍ଚ୍ଚବାର୍ଚ୍ଚ କରୁକରୁ ସରପଞ୍ଚ ପ୍ରାର୍ଥୀ ଭାବରେ ଉଭା ହେଲେ, ଏଥିରେ ପନ୍ଦାରି ପୁହାଣେ ଆତଙ୍କିତ ହେଲେ। ବିରୋଧୀମାନେ ପ୍ରଚାର କଲେ କି ପନ୍ଦାରି ଅବିବାହିତ ହୋଇଥିବାରୁ ତା’ର ଅଭିଜ୍ଞତା ଓ ଅନୁଭବର ଘୋର ଅଭାବ ରହୁଛି। ସିଏ ଅଭିଯୋଗ ନେଇ ଯାଉଥିବା ଲୋକଙ୍କର ଅସୁବିଧା ନ ଦେଖି ସେମାନଙ୍କ ଝିଅକୁ ଦେଖୁଛି। ସିଏ ବିବାହ କରି ନ ଥିବାରୁ ଦୁଃଖକୁ ନିଜେ ତ ଅଙ୍ଗେ ନିଭାଇ ନାହିଁ, ଅନ୍ୟର ଦୁଃଖ କେମିତି ବୁଝିବ! ତେଣୁ ଏଥର ପନ୍ଦାରିର ପୂର୍ଣ୍ଣଚ୍ଛେଦ ପକାଇ ଜଣେ ବିବାହିତ ସରପଞ୍ଚ ବାଛିବାକୁ ହେବ!
ଏହି ବିରୋଧୀ ହାୱାକୁ ପ୍ରତିହତ କରିବା ପାଇଁ ଗଲା ଦି ମାସ ତଳେ ପନ୍ଦାରି ବିବାହ କରିବାକୁ ନିଷ୍ପତ୍ତି ନେଲା। ଅନେକ ପ୍ରସ୍ତାବ ଚାଖି ଚାଖି ଶେଷରେ ପେଁକାଳି ଦେବୀ ପସନ୍ଦ ହେଲେ। ପେଁକାଳି ଦେବୀ ଯଦିଓ ଗଁା କଲେଜ ଯାଏଁ ପଢିଛନ୍ତି, କେବଳ ନିଜର ନାମ ଦସ୍ତଖତ କରିବା ଜ୍ଞାନ ଅର୍ଜନ କରିଛନ୍ତି। ବାହାଘରଟାକୁ ଜାକଜମକର ସହ ପାଳନ କରି ସାରା ପଞ୍ଚାୟତଟାକୁ ଖିଆପିଆରେ ଭସାଇ ଦେଇ ତାଙ୍କ ବିରୋଧରେ ବହୁଥିବା ଜନମତର ବେକ ମୋଡ଼ିଦେବାକୁ ପନ୍ଦାରି ପୁହାଣେ ଆୟୋଜନ କରିଥିଲେ। ହେଲେ କରୋନା ମହାମାରୀଜନିତ କଟକଣାର କଣ୍ଟା ତାଙ୍କର ସ୍ବପ୍ନ ବେଲୁନ୍‌କୁ ଫୁସ୍‌କରି ଫଟେଇଦେଲା।
ଅନ୍ୟ କେହି ହୋଇଥିଲେ ଅବା ଆଇନକୁ ଆଖି ମାରି ଲୁଚାଚୋରାରେ ଆୟୋଜନ କରି ଦେଇଥାଆନ୍ତା। କିନ୍ତୁ ତାଙ୍କର ତ ଶତ୍ରୁର ଅଭାବ ନାହିଁ। ତେଣୁ କିଛି ଗୋଟେ ଆଇନ ଭଙ୍ଗର ଫଟୋ କି ଭିଡିଓ ପାଇଗଲେ, ଦେଖନ୍ତୁ…. ସ୍ବୟଂ ସରପଞ୍ଚ କ’ଣ କରୁଛନ୍ତି ବୋଲି କହି କଥାଟାକୁ ଡିବିଡିବି କରିଥାଆନ୍ତେ। ତେଣୁ ଏସବୁକୁ ଡରି ଉଭୟ ପକ୍ଷର ୨୦ ଜଣଙ୍କର ଉପସ୍ଥିତିରେ ସରପଞ୍ଚ ପନ୍ଦାରି ପୁହାଣେ ବାହା ହୋଇଗଲେ। ହେଲେ ଆନୁଷ୍ଠାନିକ ପ୍ରୀତିଭୋଜନ, ଉପହାର ଗ୍ରହଣ ଓ ଫଟୋଉଠା ନୋହିଲା। ଲୁଚାଚୋରାରେ ଯାହା ଦି ଚାରିଟା ଅଲଗା ଅଲଗା ଖିଆପିଆ ପାଇଁ ପୁହାଣେ ଖର୍ଚ୍ଚ କରିଥିଲେ, ତାହା କୌଣସି ପ୍ରକାରେ ଲୋକପ୍ରିୟତା ଅର୍ଜନରେ ସହାୟକ ନ ଥିଲା।
ପୁହାଣେ ଚିନ୍ତା କରିଥିଲେ କରୋନା କଟକଣା କାଳ ଯିବା ପରେ ପରିସ୍ଥିତି ସୁଧୁରିଲେ ବିବାହ ଭୋଜି ନାମରେ ଚପାକଷିଆ ଆୟୋଜନ କରି ସମସ୍ତଙ୍କର ମୁହଁ ବନ୍ଦ କରିବା ସହିତ ମୁଣ୍ଡ କିଣିନେବେ! ସେତେବେଳକୁ ନିର୍ବାଚନ ମଧ୍ୟ ପାଖେଇ ଆସିଥିବ! ତେବେ ଚତୁର୍ଥୀ ଦିନ ପେଁକାଳି ଦେବୀ ଜ୍ୱର ଓ କାଶରେ ଅଣାୟତ୍ତ ହୋଇପଡ଼ିଲେ। ଅତଏବ ନୂଆବୋହୂର ବେଶଭୂଷାରୁ ସିଏ ଓହ୍ଲେଇପଡି ନିଜର ଅସଲ ରୂପରେ ଯେବେ ଦର୍ଶନ ଦେଲେ, ପନ୍ଦାରିଙ୍କ ସମେତ ପରିବାରବର୍ଗ ଭେଟେଣା ହେଉ ହେଉ ଅଳ୍ପକେ ଅଟକିଗଲେ।
ସୂଚନା ଯୋଗ୍ୟ ଯେଉଁ ପେଁକାଳି ଦେବୀଙ୍କୁ ମଧ୍ୟସ୍ଥଙ୍କ ସହିତ ପନ୍ଦାରି ବାବୁ ଦେଖିବାକୁ ଯାଇଥିଲେ, ସେଇ ସୁନ୍ଦରୀ ମହିଳା ଅସଲରେ ପେଁକାଳି ଦେବୀଙ୍କ ବଡ଼ ଭଉଣୀ କେଁକଳି ଦେବୀ ଥିଲେ। ଦୁହେଁ ସିନା ଗୋଟିଏ ମାତାଗର୍ଭରୁ ଜନ୍ମିତ ରୂପଲାବଣ୍ୟ ଓ ଗୁଣଗ୍ରାମରେ କିନ୍ତୁ ଦୁହିଁଙ୍କର ସାମଞ୍ଜସ୍ୟ ଶାସକ ଓ ବିରୋଧୀ ଦଳ ପରି। ଅତଏବ କେଁକଳି ଦେବୀଙ୍କ ପାଇଁ ତ ଠିକ୍‌ ସମୟରେ ଉପଯୁକ୍ତ ବିବାହ ପ୍ରସ୍ତାବ ମିଳିଗଲା, ପେଁକାଳି ଦେବୀଙ୍କ ବେଳକୁ କିନ୍ତୁ ମୁସ୍କିଲ୍‌ ହେଲା। ଏପଟେ ପନ୍ଦାରି ବାବୁ ମଧ୍ୟ ପନ୍ଦର ବର୍ଷକାଳ ପ୍ରସ୍ତାବ ମାନ ଚାଖି ଚାଲିଥିଲେ। ତେଣୁ ଝିଅର ପରିବାର ବିକଳି ପନ୍ଦାରିଙ୍କୁ କେଁକଳି ଦେବୀଙ୍କୁ ଦେଖେଇ ପେଁକାଳି ଦେବୀଙ୍କୁ ବାହା କରିଦେଲେ।
ନିପୁଣ ରୂପକାର ଓ କେଶସଜ୍ଜାକାରୀଙ୍କ ଦ୍ୱାରା ପେଁକାଳି ଦେବୀଙ୍କୁ କେଁକଳିଙ୍କ ପରି ପ୍ରସ୍ତୁତ କରି ବସାଇ ଦିଆଗଲା। ତେବେ ଚତୁର୍ଥୀ ଦିନ ସିଏ କୋଭିଡ ଆକ୍ରାନ୍ତ ହେବା କାରଣରୁ ମୁହଁର ରଙ୍ଗ ବୋହିଯାଆନ୍ତେ ଏବଂ ମୁଣ୍ଡର ଚୁଟି ଉଲୁରି ଯାଆନ୍ତେ ପନ୍ଦାରି ପୁହାଣଙ୍କ ମନଗାଡ଼ିର ଚକା ଫାଟିଗଲା। ସିଏ ସେଇଦିନୁ ଚୁପ୍‌। ପରିସ୍ଥିତି ସୁଧୁରିଲା ପରେ ମଧ୍ୟ ଭୋଜିଭାତ ନୋହିଲା। ବିବାହ କିମ୍ବା ବୋହୂର ଫଟୋ ପ୍ରସାରିତ ନ ହୋଇ ସେମିତି ମୋବାଇଲରେ ରହିଲା। ସେ କଥା କେହି ପଚାରିଲେ ଅନ୍ୟ ଆଳ ଦେଖାଇ ପୁହାଣେ ଏଡାଇ ଯାଉଥିଲେ। ଅତଏବ ଆଜି ପନ୍ଦାରିଙ୍କ ମୁହଁରୁ ଅତର୍କିତ ପତ୍ନୀଙ୍କ ପ୍ରଶଂସା ଶୁଣି ଗ୍ରାମବାସୀ ଚକିତ ହେବା ସ୍ବାଭାବିକ। କେବଳ ଗ୍ରାମବାସୀ ନୁହେଁ ପନ୍ଦାରି ଓରଫ ସ୍ବାମୀଙ୍କଠାରୁ ଅଚାନକ ଆଦର ସମ୍ବୋଧନ ପାଇ ପେଁକାଳି ଦେବୀ ନିଜକୁ ନିଜେ ଚିମୁଟି ଏହା ସତ କି ସପନ ବୋଲି ପରୀକ୍ଷା କରିନେଲେ।
ପନ୍ଦାରି କହିଲେ – ମୁଁ ଗୋଟେ ମେକଅପ ମ୍ୟାନ ଠିକ୍‌ କରିଦେଇଛି। ସିଏ ସବୁଦିନ ଭୋରରୁ ଆସି ତମକୁ ମେକଅପ କରିଦେଇ ଯିବ। ସିଏ କାଲି ଆସି ମେକଅପ କଲା ପରେ ତମର ଗଣ୍ଡେ ଭଲ ଫଟୋ ଉଠାଯିବ। ହଠାତ୍‌ ପତିଙ୍କର ଏମିତି ସୁହାଗର କାରଣକୁ ପେଁକାଳି ଦେବୀ ଠିକରେ ଠଉରାଇ ପାରିଲେନି। ତେବେ ଗ୍ରାମବାସୀ ଯେବେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାଟି ପାଇଗଲେ, ଏହି ଘଟଣାଟିକୁ ଠିକ୍‌ରେ ବୁଝିଗଲେ ଯେ ଆଗାମୀ ନିର୍ବାଚନରେ ପଞ୍ଚାୟତର ସରପଞ୍ଚ ପଦବୀଟି ମହିଳାଙ୍କ ପାଇଁ ସରଂକ୍ଷିତ ହୋଇଥିବାରୁ ପନ୍ଦାରି ପୁହାଣେ ତାଙ୍କ ଜାଗାରେ ପତ୍ନୀଙ୍କୁ ପ୍ରାର୍ଥୀ କରି କ୍ଷମତା ବଜାୟ ରଖିବାକୁ ଏହି ଫନ୍ଦି କରିଛନ୍ତି।
ତେବେ ଗଁାଦାଣ୍ଡରେ ପନ୍ଦାରିଙ୍କ ମୁହଁରୁ ପେଁକାଳି ଦେବୀଙ୍କ ରୂପଗୁଣ ସମ୍ପର୍କରେ ଶୁଣି ଟୋକାଏ କହିଲେ – ଆମେ ଭାଉଜଙ୍କୁ ଦେଖିବୁ! ବୁଢ଼ାଏ କହିଲେ – ଆମେ ଟିକେ ବୋହୂକୁ ଦେଖିବୁ। କୌଶଳ କାମରେ ଲାଗୁଚି ଦେଖି ପନ୍ଦାରି ପୁଲକିତ ହୋଇ କହିଲେ – ନିଶ୍ଚୟ…ନିଶ୍ଚୟ…। ହେଲେ ମୁଁ କ’ଣ କହୁଥିଲି କି, ମୁହଁଦେଖା ପାଇଁ ତମେମାନେ ଅଯଥା ଖର୍ଚ୍ଚାନ୍ତ ହେବ କାହିଁକି? ବରଂ ସେ ବାବଦରେ ନିଜର ଭୋଟ୍‌ ଖଣ୍ଡିକ ନୂଆ ବୋହୂଟାକୁ ଦେଇଦେବ….!!!
ଅଲରା, ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri