Categories: ରାଜ୍ୟ

ପ୍ରେମ, ଜେଲ ଓ ପରେ ବିବାହ

ଭଦ୍ରକ ଅଫିସ,୧।୩- ପ୍ରଥମେ ପ୍ରେମ ଓ ପରେ ବିବାହ ନିଷ୍ପତ୍ତି। କିନ୍ତୁ ରାଜି ହେଲେ ନାହିଁ ପରିବାର ଲୋକେ। ବାଧ୍ୟହୋଇ ପ୍ରେମିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରେମିକା। ଗିରଫ ଭୟରେ ଦୀର୍ଘ ଦିନ ଧରି ପୋଲିସ ସହ ଲୁଚକାଳୀ ଖେଳିଲେ ପ୍ରେମିକ। ଗତ ଜାନୁୟାରୀରେ ପ୍ରେମିକ ଗିରଫ ହେବା ପରେ ବଦଳିଲା ପ୍ରେମିକାର ମନ। ପ୍ରେମିକଙ୍କୁ ମୁକୁଳାଇଲେ ଜେଲରୁ। ଶେଷରେ ଆସିଆନା ସହଯୋଗରେ ଉଭୟ ପରିବାରର ସହମତି କ୍ରମେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଯୋଡ଼ି ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଗ୍ରାମର ସୁନିତା ମଣ୍ଡଳ ଏବଂ ବନ୍ତ ଥାନା କଣ୍ଟିଗଡ଼ିଆ ଗ୍ରାମର ମନୋଜ ଓଝା।

ଉଭୟ ଗୋଟିଏ କଲେଜରେ ପଢୁଥିବା ସମୟରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଦୀର୍ଘ ୭ ବର୍ଷ ଧରି ଚାଲିଲା ପ୍ରେମ ଗାଡ଼ି। ବିବାହ ବନ୍ଧନରେ ବାନ୍ଧି ହେବାକୁ ସେମାନେ ସ୍ଥିର କରିଥିଲେ। ମାତ୍ର ସେମାନଙ୍କର ଏହି ପ୍ରସ୍ତାବକୁ ଅସ୍ବୀକାର କରିଥିଲେ ପରିବାର ଲୋକେ। ଏହି କାରଣରୁ ୨୦୧୯ରେ ମନୋଜଙ୍କ ବିରୋଧରେ ସୁନିତାଙ୍କ ଅଭିଯୋଗ କ୍ରମେ ଗ୍ରାମାଞ୍ଚଳ ଥାନା ପୋଲିସ ମାମଲା ରୁଜୁ କରିଥିଲା। ଏହା ପରଠୁ ମନୋଜ ଫେରାର ଥିଲେ। ଗତ ଜାନୁୟାରୀ ୨୮ରେ ପୋଲିସ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମନୋଜଙ୍କ ଗିରଫ ପରେ ସୁନିତା ନିଜ ପ୍ରେମକୁ ସାକାର କରିବାକୁ ଯାଇ ଘର ଛାଡ଼ି ଭଦ୍ରକ ଆସି ଆସିଆନାରେ ଆଶ୍ରୟ ନେଇଥିଲେ। ଆସିଆନାର ସମ୍ପାଦିକା ସୋଫିଆ ଶେଖ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା ଏ ନେଇ ବୁଝାଶୁଝା କରି ଉଭୟ ପରିବାକୁ ଡାକି ଆଲୋଚନା କରିଥିଲେ। ଶେଷରେ ଉଭୟ ପରିବାର ବିବାହ ପାଇଁ ସମ୍ମତ ହୋଇଥିଲେ। ଏ ସମ୍ପର୍କରେ କୋର୍ଟକୁ ଅବଗତ କରାଯିବା ପରେ ମନୋଜ ଜାମିନ ପାଇଥିଲେ ଏବଂ ରବିବାର ସ୍ଥାନୀୟ ଲୋକନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।