ଖଲ୍ଲିକୋଟ,୧୯।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ଦୁଇ ଯୁବକଙ୍କ ମଧ୍ୟରେ ଛୁରାମାଡ଼ ହୋଇଛି । ସୂଚନା ଅନୁଯାୟୀ, କହ୍ନେଇପୁର ପଞ୍ଚାୟତକୁ ନିଜ ଭଉଣୀ ସହ ଆସିଥିବା କନ୍ଦିଗାଁର ବାଲ୍ମୀକି ସେଠୀଙ୍କୁ ଡାକିନେଇ ଛୁରା ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଛୁରା ମାଡ଼ କରିଥିବା ମାଣିକପୁର ଗ୍ରାମର ଶମ୍ଭୁ ସିଂ ମଧ୍ୟ ଛୁରା ମାଡ଼ର ଶିକାର ହୋଇ ଗୁରୁତର ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବେଳେ ଶମ୍ଭୁ ଓ ବାଲ୍ମୀକି ଦୁଇ ଜଣ ନାବାଳକ ରହିଛନ୍ତି । ବାଲ୍ମୀକି ଡିପ୍ଲୋମା ଛାତ୍ର ହୋଇଥିବା ବେଳେ ଶମ୍ଭୁ ଦଶମ ଶ୍ରେଣୀ ଛାତ୍ର ଅଟନ୍ତି । ଦୁହିଁଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଏକ ପ୍ରେମ ଜନିତ ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିବା ପୋଲିସ ଅନୁମାନ କରୁଛି । ଘଟଣା ସ୍ଥଳରେ ପହଞ୍ଚି ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ତଦନ୍ତ କରୁଛନ୍ତି ।


