ଭୁବନେଶ୍ୱର,୫ା୫(ରବିନାରାୟଣ ଜେନା):ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ପକ୍କାଘର ମିଳିବ। ଏନେଇ ୨୦୨୨ରେ ଏକ ନୀତି (ସମସ୍ତଙ୍କୁ ପକ୍କାଘର) ଅଣାଯାଇଥିଲା। ମାତ୍ର ଏବେ ଏଥିରେ କେତେକ ସଂଶୋଧନ ଅଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ସମସ୍ତ ବସ୍ତିବାସିନ୍ଦା ଯେଭଳି ପ୍ରଧାନମନ୍ତ୍ରୀ ଆବାସ(ସହରାଞ୍ଚଳ)-୨ରେ ସାମିଲ ହୋଇପାରିବେ ସେଥିନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସ୍ଓପି) ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଥିବା ହିତାଧିକାରୀ ନିଶ୍ଚିତ ଭାବେ ବିଏମ୍ସି ଅଞ୍ଚଳର ଜଣେ ବସ୍ତିବାସିନ୍ଦା ହୋଇଥିବେ। ତାଙ୍କର କିମ୍ବା ତାଙ୍କ ପରିବାରର କାହା ନାମରେ ଭୁବନେଶ୍ୱରରେ ପକ୍କାଘର ନ ଥିବ। ସମ୍ପୃକ୍ତ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ। ହିତାଧିକାରୀ ଭାବେ ସ୍ବାମୀ, ସ୍ତ୍ରୀ କିମ୍ବା ତାଙ୍କର ସନ୍ତାନକୁ ନିଆଯାଇପାରିବ। ସେ କେନ୍ଦ୍ର, ରାଜ୍ୟ ତଥା କୌଣସି ପିଏସ୍ୟୁ ଚାକିରିଆ ହୋଇ ନ ଥିବେ। ଯେଉଁମାନେ ସରକାରଙ୍କ ପକ୍ଷରୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ୍ (ଏଲ୍ଆର୍ସି) ପଟ୍ଟା ପାଇଥିବେ ସେମାନେ ଆପଣା ଛାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରିବେ।
ସରକାରଙ୍କ ଏସ୍ଓପିରେ ରହିଛି ଯେ, ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ହେଲେ ତାଙ୍କୁ ପ୍ରଥମେ ୨୦ ପ୍ରତିଶତ ଅଗ୍ରିମ ଦେବାକୁ ପଡ଼ିବ। ଯଦି ସମ୍ପୃକ୍ତ ହିତାଧିକାରୀ ଋଣ କରିବାକୁ ଚାହିଁବେ ତେବେ ସେଥିପାଇଁ ବିଏମ୍ସି ସହାୟତା କରିବ। ଋଣ ଦେବା ପାଇଁ ବିଏମ୍ସି ପକ୍ଷରୁ ବ୍ୟାଙ୍କ ଯୋଗାଡ଼ କରାଯିବ। ତେବେ ହିତାଧିକାରୀଙ୍କୁ ଏଥିପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ନ ଥିବା ନେଇ ଅନୁମତି ପତ୍ର ଯୋଗାଡ଼ କରିବାକୁ ହେବ। ଋଣ ପାଇଁ ବ୍ୟାଙ୍କ ସହିତ ବିଏମ୍ସି ଓ ହିତାଧିକାରୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସମ୍ପାଦନ କରାଯିବ। ଥରେ ବିଏମ୍ସି ପକ୍ଷରୁ ରିସିପ୍ଟ ମିଳିଗଲେ ସମ୍ପୃକ୍ତ ହିତାଧିକାରୀଙ୍କୁ ପକ୍କାଘର ମିଳିବ ବୋଲି ସ୍ପଷ୍ଟ ବୁଝାଯିବ। ଏହାବାଦ୍ କ୍ଷେତ୍ର ଯାଞ୍ଚ ବେଳେ ଜଏଣ୍ଟ ଏନୁମରେଶନ ଟିମ୍ ଏବଂ ଓ୍ବାର୍ଡ ଅଫିସରଙ୍କ ଭୂମିକା କ’ଣ ସବୁ ରହିବ ତାହା ବିଜ୍ଞପ୍ତିରେ ଦର୍ଶାଯାଇଛି।


