ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ, ମାସମାସ ଆଗରୁ ଏହା ଘଟିଥିଲା। ମୋବାଇଲ ଫେରି ପାଇବା ଆଶା ବି ମଉଳି ଯାଇଥିଲା। ହେଲେ ବରଗଡ଼ ଜିଲା ପୋଲିସର ଉପସ୍ଥିତ ବୁଦ୍ଧି ଏବଂ ଆଧୁନିକ ଜ୍ଞାନକୌଶଳ ଯୋଗୁ ଆଜି ୧୦୬ ଜଣ ସେମାନଙ୍କ ହଜିଲା ଏବଂ ଚୋରି ହୋଇଥିବା ମୋବାଇଲକୁ ଫେରି ପାଇଛନ୍ତି । ଏହି କ୍ରମରେ ଜିଲା ପୋଲିସ ମୁଖ୍ୟାଳୟରେ ଗୁରୁବାର ପୋଲିସ ଆୟୋଜନ କରିଥିଲା ମୋବାଇଲ ମେଳା। ଉଦ୍ଧାର ହୋଇଥିବା ମୋବାଇଲଗୁଡିକୁ ଧାଡିକି ଧାଡି ଟେବୁଲ ଉପରେ ରଖାଯାଇଥିଲା। ପୋଲିସଠାରୁ ଆଗୁଆ ସୂଚନା ପାଇ ଉଦ୍ଧାର ହୋଇଥିବା ମୋବାଇଲ ନେବା ପାଇଁ ଲୋକେ ମଧ୍ୟ ମୋବାଇଲ ମେଳାକୁ ଆସିଥିଲେ । ଏସପି ପ୍ରହଲ୍ଲାଦ ସହାୟ ମିନା ସେମାନଙ୍କୁ ଜଣଜଣ କରି ମୋବାଇଲ ପ୍ରଦାନ କରିଥିଲେ। ଦୀର୍ଘଦିନର ବ୍ୟବଧାନ ପରେ ହଜିଲା ମୋବାଇଲ ପାଇ ଲୋକେ ବି ଖୁସି ହୋଇଥିଲେ। ସିଆଇଆର(CIR) ପୋର୍ଟାଲ ମାଧ୍ୟମରେ ଟ୍ରାକ କରାଯାଇ ସେହି ମୋବାଇଲଗୁଡିକୁ ଉଦ୍ଧାର ହୋଇପାରିଛି । ଏହି ପୋର୍ଟାଲକୁ ବ୍ୟବହାର କରି ଘରେ ଥାଇ ମଧ୍ୟ ଲୋକେ ନିଜ ହଜିଲା କିମ୍ବା ଚୋରି ହୋଇଥିବା ମୋବାଇଲ ଟ୍ରାକ କରିପାରିବେ ବୋଲି କହିଛନ୍ତି ବରଗଡ଼ ଏସ୍ପି।