ଅନ୍‌ଲାଇନରେ ଚାକିରି ଖୋଜି ହରାଇଲେ ୩ ଲକ୍ଷ

ଅନୁଗୋଳ ଅଫିସ, ୨୨।୬  – ଅନୁଗୋଳ ଜିଲାରେ ସାଇବର ଅପରାଧୀମାନେ ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି। ଜଣେ ଯୁବତୀ ଅନ୍‌ଲାଇନ୍‌ରେ ଚାକିରି ଖୋଜିବା ବେଳେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଯାଇଛି। ଏ ନେଇ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୧୮/୨୨ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ତାଳଚେର ଥାନା ଭେରୁବଣିଆର ଜଣେ ଯୁବତୀ ଅନ୍‌ଲାଇନ୍‌ରେ ଚାକିରି ଖୋଜୁଥିଲେ। ଏହାର ସୁଯୋଗ ନେଇ ସାଇବର ଠକ ତାଙ୍କୁ ବିଭିନ୍ନ ଦିଗ ବତାଇଥିଲେ। ଠକଙ୍କ କଥାରେ ଯୁବତୀ ଜଣଙ୍କ ପରିଚାଳିତ ହେଉଥିବାବେଳେ ତାଙ୍କ ଆକାଉଣ୍ଟରୁ ବାରମ୍ବାର ଟଙ୍କା କଟୁଥିଲା। କିନ୍ତୁ ଏ ନେଇ ସେ କିଛି ଜାଣିପାରୁ ନ ଥିଲେ। ବିଭିନ୍ନ ସାଇଟ୍‌ରେ ଚାକିରି ସର୍ଚ୍ଚ କରୁଥିବାରୁ ଭିନ୍ନ ଭିନ୍ନ ଠକଙ୍କ ହାବୁଡ଼ରେ ପଡ଼ି ଟଙ୍କା ହରାଇ ଚାଲିଥିଲେ। ଶେଷରେ ଆକାଉଣ୍ଟରୁ ଟଙ୍କା ଯାଉଥିବା ଜାଣି ଯୁବତୀ ଜଣଙ୍କ ମୋବାଇଲ ବନ୍ଦ କରିବାରୁ ଆଉ ଟଙ୍କା ଯାଇ ନ ଥିଲା। ପରେ ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।