Categories: ଖେଳ

ଏହି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରୁଛି ସିଏସ୍‌କେ

ମୁମ୍ବାଇ, ୧୧ା୪- ଚଳିତ ଆଇପିଏଲରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପ୍ରତିପକ୍ଷ ଦଳ ଆଗରେ ବଡ଼ ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ୩ ଥର ଆଇପିଏଲ ଚାମ୍ପିୟନକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାର କାରଣ ଦଳ ଅଷ୍ଟ୍ରେଲିଆନ ପେସର ଜୋସ ହାଜେଲଉଡ୍‌ଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି। ଏହା ସ୍ବୀକାର କରିଛନ୍ତି ଦଳୀୟ କୋଚ୍‌ ଷ୍ଟିଫେନ ଫ୍ଲେମିଂ।

ଆଇପିଏଲରୁ ହାଜେଲଉଡ୍‌ ଓହରି ଯିବାରୁ ସିଏସ୍‌କେକୁ ଲାଗିଛି ଶକ୍ତ ଧକ୍କା। ଆଉ ଦଳ ପାଖରେ ଉପଲବ୍ଧ ଥିବା ବିଦେଶୀ ପେସର ଜାସନ ବେହେରେଣ୍ଡର୍ଫ ଓ ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନ୍‌ଗିଡି ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ଖେଳିପାରିବେ ନାହିଁ। ବ୍ୟକ୍ତିଗତ କାରଣ ଯୋଗୁ ହାଜେଲଉଡ୍‌ ଅନ୍ତିମ ସମୟରେ ଓହରିବାକୁ ଘୋଷଣା କରିଥିଲେ। ତାଙ୍କ ବଦଳରେ ସିଏସ୍‌କେ ବାଛିଥିଲା ଅନ୍ୟତମ ଅଷ୍ଟ୍ରେଲିଆନ ପେସର ବେହେରେଣ୍ଡର୍ଫ। କିନ୍ତୁ ସେ ଏ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ନାହାନ୍ତି। ଅନ୍ୟପକ୍ଷରେ କ୍ୱାରେଣ୍ଟିନରେ ଅଛନ୍ତି ଏନ୍‌ଗିଡି।

ଏନ୍‌ଗିଡି ଉପଲବ୍ଧ ନ ଥିବାବେଳେ ହାଜେଲଉଡ୍‌ଙ୍କୁ ହରାଇଥିଲୁ। ଏହା ଆମ ଯୋଜନାର ଅଂଶ ନ ଥିଲା। ଏନ୍‌ଗିଡି ଖୁବ୍‌ ଶୀଘ୍ର ଦଳରେ ଯୋଗଦେବେ। ବୋଲିଂ ହିଁ ଏକମାତ୍ର ବିଭାଗ ଯେଉଁଠାରେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡ଼ିବ। କିନ୍ତୁ ଆମେ ଭାରତୀୟ ବୋଲରଙ୍କ ଉପରେ ଭରସା କରୁଛୁ ଓ ଆମ ପାଖରେ ସାମ କୁରାନଙ୍କ ଭଳି ଅନ୍ତର୍ଜାତୀୟ ପେସର ଅଛନ୍ତି ବୋଲି ଫ୍ଲେମିଂ କହିଛନ୍ତି।

Share