ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନକୁ ସମସ୍ତେ ଚାହିଁ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ ସୂଚାରୁରୂପେ ସମ୍ପନ୍ନ ହୋଇଯାଇଛି।
୧୫ ଦିନର ଅନବସର ସମାପ୍ତି ପରେ ପ୍ରଭୁ ଶ୍ରୀ ଦଧିବାମନ ଅନବସର ପିଣ୍ଡିରୁ ପୂଜା ମଣ୍ଡପକୁ ବିଜେ କରିଥିଲେ। ସେଠାରେ ମନ୍ଦିରର ପୁରୋହିତମାନଙ୍କ ଦ୍ୱାରା ଶାସ୍ତ୍ରୀୟ ରୀତିନୀତି ଅନୁସାରେ ନେତ୍ରୋତ୍ସବ ପୂଜା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବାଦ୍ୟର ତାଳେ ତାଳେ ପୁରୋହିତ ମହାପ୍ରଭୁଙ୍କ ନିକଟକୁ ଯାଇ ‘ତତଚକ୍ଷୁ ମନ୍ତ୍ର’ ପାଠ ପୂର୍ବକ ଶ୍ରୀଜୀଉଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ପ୍ରଦାନ କରିଥିଲେ। ଏହାପରେ ପୂଜା, ମଙ୍ଗଳ ଆଳତୀ ଓ ପୁଷ୍ପାଞ୍ଜଳି କରାଯିବା ସହ ଶ୍ରୀମନ୍ଦିର ଚୂଡ଼ାରେ ନୂତନ ଧ୍ୱଜାରୋହଣ କରାଯାଇଥିଲା।
ଧ୍ୱଜାରୋହଣ ପରେ ମହାପ୍ରଭୁଙ୍କୁ ଆକର୍ଷଣୀୟ ନବଯୌବନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ମହୋତ୍ସବରେ ଗୌନ୍ତିଆ ପରମାନନ୍ଦ ସାହୁ ଓ ତାଙ୍କ ପତ୍ନୀ ସୁକାନ୍ତି ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ମନ୍ଦିର ପୁରୋହିତ ବାଚସ୍ପତି ରଥ ଓ ଅଂଶୁମାନ ରଥ ଶାସ୍ତ୍ରୀୟ ପୂଜାବିଧି ସମ୍ପାଦନ କରିଥିବା ବେଳେ ମନ୍ଦିର ପୂଜକ ଲଳିତ କୁମାର ରଥ, ଗୌରଚନ୍ଦ୍ର ରଥ, ରୋହିତ ରଥ, ରାଜେଶ ମିଶ୍ର, ଶ୍ରୀବତ୍ସ ପାଣିଗ୍ରାହୀ, ଆୟୁଷ୍ମନ୍ତ ଷଡ଼ଙ୍ଗୀ, ଗୋକୁଲେଶ୍ୱର ରଥ ଏବଂ ସୁଦାମ ସତପଥି ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ନବଯୌବନ ବେଶ ଦର୍ଶନ କରିବା ପାଇଁ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
ସନ୍ଧ୍ୟା ସମୟରେ ଶ୍ରୀ ଦଧିବାମନ ମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଭକ୍ତମାନେ ଘଣ୍ଟ, ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନ ସହ ଏକ ଭବ୍ୟ ଶୋଭାଯାତ୍ରା ବାହାର କରିଥିଲେ। ଏହି ଶୋଭାଯାତ୍ରା ନନ୍ଦିଘୋଷ ରଥକୁ ତିନି ଥର ପରିକ୍ରମା କରିବା ପରେ ରଥ ଶୀର୍ଷରେ ‘କପିକେତନ ନେତ’ ବନ୍ଧାଯାଇଥିଲା। ଏହି ଅବସରରେ ମନ୍ଦିର ପୂଜକଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯିବା ସହ ନୂତନ ମାଉସୀ ମା’ ମନ୍ଦିରରେ ମଧ୍ୟ ପବିତ୍ର ଧ୍ୱଜା ସ୍ଥାପନ କରାଯାଇଛି।