ଫୋନ୍‌ କଲ୍‌ରେ ବିଡିଓଙ୍କ ପରିଚୟ ଦେଇ ଲୁଟିନେଲେ ୩୭ହଜାର

ଗୁଡାରି,୬ା୨: ମୁଁ ଗୁଡାରି ବିଡିଓ କହୁଛି। ଆପଣଙ୍କ ବ୍ୟାଙ୍କ ଖାତାକୁ କରୋନାର ମାସ୍କ କିଣା ଏବଂ ସାନିଟାଇଜର ବାବଦକୁ ଟଙ୍କା ଯିବ। ଶୀଘ୍ର ଏଟିଏମ୍‌ କାର୍ଡ ନମ୍ବର, ସିଭିଭି ନମ୍ବର ଏବଂ ଏକ୍ସପାଏରି ଡେଟ୍‌ କୁହନ୍ତୁ। ରାୟଗଡ଼ା ଜିଲା ଗୁଡାରି ବ୍ଲକ୍‌ ସାତିମଗୁଡ଼ାର ଆଶା କର୍ମୀ ଝୁନୁ ଶବରଙ୍କୁ ୪ ତାରିଖରେ ଆସିଥିବା ଏକ ଫୋନ୍‌କଲ୍‌ରେ ଏଭଳି କୁହାଯାଇଥିଲା। ଏଥିରେ ଝୁନୁ ପ୍ରଥମେ ରାଜି ହୋଇ ନ ଥିଲେ। ହେଲେ ଫୋନ୍‌ କରିଥିବା ବ୍ୟକ୍ତି ପରିବାର ସଦସ୍ୟଙ୍କ ବିଷୟରେ କିଛି ଠିକ୍‌ ତଥ୍ୟ ରଖିବାରୁ ଆଶାକର୍ମୀ ଜଣଙ୍କ ତାଙ୍କ ବ୍ୟାଙ୍କର ସମସ୍ତ ତଥ୍ୟ ବ୍ୟକ୍ତିଙ୍କୁ ଦେଇଥିଲେ। ହେଲେ ତଥ୍ୟ ଦେବାର କିଛି ସମୟ ମଧ୍ୟରେ ଝୁନୁଙ୍କ ଆକାଉଣ୍ଟରୁ ୮ଥରରେ ୩୬ହଜାର ଟଙ୍କା କଟିଯାଇଥିଲା। ସେହିପରି ୩ ତାରିଖରେ ପାଙ୍ଗଣାପଦର ଗ୍ରାମର ଆଶାକର୍ମୀ ପୂର୍ଣ୍ଣବାସୀ ପାତ୍ରଙ୍କୁ ମଧ୍ୟ ସମାନ ଫୋନ୍‌ କଲ୍‌ ଆସିଥିଲା। ବ୍ୟାଙ୍କ ଖାତାରେ ସର୍ବନିମ୍ନ ୧ହଜାର ଟଙ୍କା ରହିବା ଜରୁରୀ। କିନ୍ତୁ ତୁମ ଖାତାରେ ମାତ୍ର ୨ଶହ ଟଙ୍କା ଅଛି, ଶୀଘ୍ର ୧ହଜାର ଟଙ୍କା ଜମା କର ବୋଲି କହିଥିଲେ। ଏଥିସହ ତାଙ୍କ ବ୍ୟାଙ୍କ ତଥ୍ୟ ମାଗି ନେଇଥିଲେ। ପୂର୍ଣ୍ଣବାସୀଙ୍କ ଆକାଉଣ୍ଟରୁ ମଧ୍ୟ ୧୨ଶହ ଟଙ୍କା ଗାଏବ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ପରଦିନ ବିଡିଓଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ଫୋନ୍‌ କରି ନ ଥିବା କହିଥିଲେ। ଏ ବିଷୟରେ ବିଡିଓ ନୃସିଂହ ଚରଣ ସେଠୀ କହିଛନ୍ତି, ବାହାର ରାଜ୍ୟରୁ ଅନ୍‌ଲାଇନ୍‌ ଶପିଂ ମାଧ୍ୟମରେ ଟଙ୍କା କାରବାର ହୋଇଛି। ଅଜଣା ବ୍ୟକ୍ତିଙ୍କୁ ଫୋନ୍‌ରେ କୌଣସି ତଥ୍ୟ ନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଦୁଇ ଆଶାକର୍ମୀ ଟଙ୍କା ଲୁଟ୍‌ ନେଇ ଗୁଡାରି ଥାନାରେ ଅଭିଯୋଗ କରିଛନ୍ତି।