ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ ନାୟକ (୨୮) ଏବଂ ଅନ୍ୟ ଜଣେ ନାବାଳକ ବୋଲି ତଦନ୍ତକାରୀ ଅଧିକାରୀ ବାସନ୍ତୀ ବେହେରା କହିଛନ୍ତି।
ପ୍ରକାଶ ଯେ, ସବୁଦିନ ଭଳି ବୁଧବାର ରାତି ୮ ଟାରେ ଦାରିଙ୍ଗବାଡ଼ି ଶିବ ମନ୍ଦିର ସାହିର ବାଦଲ କୁମାର ସାହୁ ତାଙ୍କ ରାଶନ ଦୋକାନର ସଟର ବନ୍ଦ କରି ଚାବି ପକାଇ ଘରକୁ ଯାଇଥିଲେ। ଗୁରୁବାର ସକାଳୁ ଦେଖିବା ବେଳେ ତାଙ୍କ ଦୋକାନର ସଟର ତାଲା କେହି କାଟି ଦୋକାନ ଭିତରେ ରହିଥିବା ୧୧ ହଜାର ଟଙ୍କା ସମେତ ବ୍ୟାଙ୍କ ପାସ୍ବୁକ୍, ଘରୋଇ ଗ୍ୟାସ୍ ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଚୋରି ହୋଇଯାଇଥିଲା। ଏନେଇ ବାଦଲ ସେହିଦିନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ମାମଲା (୨୦୪/୨୬)ରୁଜୁ କରି ସନ୍ଦେହରେ କିଛି ଦୁର୍ବୃତ୍ତଙ୍କୁ ଉଠାଇ ଆଣିଥିଲା। ଏଥିରେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କୁ ପୋଲିସ ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ମଧ୍ୟରେ ଦାରିଙ୍ଗବାଡ଼ି ସହରରେ ୪ଟି ସ୍ଥାନରେ ଲୁଟ୍ ହୋଇଥିଲା। ସେହି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗରେ ପୋଲିସକୁ ସଫଳତା ମିଳିଛି। ବାକି ୩ ବଡ଼ ଧରଣର ଲୁଟ୍ ଘଟଣାରେ ଆଜି ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନଥିବା ଜଣାପଡ଼ିଛି। ଦାରିଙ୍ଗବାଡ଼ିର ଅଶୋକ କୁମାର ସାହୁଙ୍କ ମଧ୍ୟ ସୁନା ଅଳଙ୍କାର, ରୁପା, ନଗଦ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିବା ବେଳେ ତାର ୧୦ ଦିନ ପୂର୍ବରୁ ଜାଗୃତି ସାହିର ସଦାନନ୍ଦ ସିଂ ଏବଂ ଗୋଟିଏ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଆଦି ଲୁଟ୍ ହୋଇଛି। ଦାରିଙ୍ଗବାଡ଼ି ପୋଲିସ ପାଇଁ ଲୁଟେରାଙ୍କୁ ଧରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦ, ବାଲିଗୁଡ଼ା ଏସ୍ଡିପିଓ ଶୁଭମ ଭୋସଲେ ଏହାର ସମୀକ୍ଷା କରିବା ସହ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା, ତଦନ୍ତକାରୀ ଅଧିକାରୀ ଲକ୍ଷ୍ମୀ ମାଝୀ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ତଦନ୍ତ ଚଳାଇଥିବା ଆଇଆଇସି ଜେନା କହିଛନ୍ତି।