୫ ବର୍ଷିଆ ମରାମତି ନାଁରେ ଚାଲିଛି ଲୁଟ୍‌

ମାଲକାନଗିରି, ୬।୧୨(ଡି.ଏନ.ଏ.):ମାଲକାନଗିରି ଜିଲା କାଲିମେଳା ମୁଖ୍ୟ ସଡକଠାରୁ କବାସିଗୁଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ସଡକର ୫ ବର୍ଷିଆ ମରାମତି ନଁାରେ ଲକ୍ଷାଧିକ ଟଙ୍କା ହେରଫେର କରାଯାଉଥିବା ଅଭିଯୋଗ ହୋଇଛି। କାର୍ଯ୍ୟର ନାମଫଳକରେ ଥିବା ସୂଚନା ଅନୁଯାୟୀ, ସମେନ୍ଦ୍ର ପ୍ରସାଦ ବିଶୋୟୀ ନାମକ ଜଣେ ଠିକାଦାର ଏହି ରାସ୍ତାକୁ ଜାନୁୟାରୀ ୨୦୧୮ରେ ଆରମ୍ଭ କରି ଅକ୍ଟୋବର ୨୦୧୮ରେ ଶେଷ କରିଥିଲେ। ରାସ୍ତା ନିର୍ମାଣ ହେବାର କିଛି ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠି ମାଟି ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଗର୍ତ୍ତ ମଧ୍ୟ ହୋଇଥିଲା। ଉକ୍ତ ସଡକଟି ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଅଧୀନରେ ଥିବା ବେଳେ ୨.୮୦ କି.ମି. ରାସ୍ତା ନିର୍ମାଣ ପାଇଁ ୯୮.୪୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ରାସ୍ତାଟି ଆରମ୍ଭରୁ ଏଯାଏ ମରାମତି ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ଖରାପ ହୋଇଗଲାଣି। ଏଥିସହ ରାସ୍ତା ମଝିରେ ବ୍ରିଜ ଦବିଯାଇ ୨ଟି ଗାତ ସୃଷ୍ଟି ହୋଇଛି। ଏହି ଗାତରେ ପଡି ଅନେକ ଆହତ ହେବାର ନଜୀର ମଧ୍ୟ ରହଛି। ୫ ବର୍ଷିୟା ମରାମତି ବାବଦରେ ଥିବା ୧୩.୨୦ ଲକ୍ଷ ଟଙ୍କା ରାସ୍ତା କାମରେ ଖର୍ଚ୍ଚ ନ ହୋଇ କେବଳ ବ୍ରିଜ କାନ୍ଥରେ ଚୂନ ମାରିବା ଓ ପୁରୁଣା ଫଳକରେ ରଙ୍ଗ ମାରିବାରେ ସୀମିତ ଅଛି ବୋଲି ଗ୍ରାମବାସୀ ଓ ସରପଞ୍ଚ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ରାସ୍ତା ମରାମତି କରିବାକୁ ଦାବି ହେଉଛି।