ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ ରବିବାର ବାଞ୍ଜିବାହାଲି-କଟାପାଲି ରାସ୍ତାରେ ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହୋଇଛି। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ର ମୁନରେ ବରଗଡ଼ ଘୁଲିପାଲିର ରବିନ୍ଦ୍ର ବାଗଙ୍କଠାରୁ ନଗଦ ୬୫୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସେ ଏ ନେଇ ବରଗଡ଼ ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ତନାଘନା ଚଲାଇଛି।

ଖବର ଲେଖାହେବା ସୁଦ୍ଧା ଲୁଟେରାମାନଙ୍କୁ ପୋଲିସ୍‌ ଧରି ପାରି ନାହିଁ ।
ସୂଚନା ଅନୁଯାୟୀ, ରବିନ୍ଦ୍ର ତାଙ୍କ ଜଣେ ବନ୍ଧୁ ଶକ୍ତିସେନ ସରାଫଙ୍କ ସହିତ ବାଇକ୍‌ ଯୋଗେ ବାଞ୍ଜିବାହାଲି-କଟାପାଲି ରାସ୍ତାରେ ଯାଉଥିଲେ। ତେବେ ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ମିନିଟ୍‌ ସମୟରେ ବାଞ୍ଜିବାହାଲି ନିକଟ ଏକ ହୋଟେଲ ପାଖକୁ ସେମାନେ ପହଞ୍ଚିବାବେଳେ ୩ଜଣ ଲୁଟେରା ସେମାନଙ୍କୁ ଅଟକାଇଥିଲେ ଏବଂ ଧାରୁଆ ଅସ୍ତ୍ର ମୁନରେ ଲୁଟ୍‌ପାଟ୍‌ କରିଥିଲେ। ପ୍ରତିବାଦ କରିବାରୁ ଲୁଟେରାମାନେ ରବିନ୍ଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେ ଧରିଥିବା ମନିପର୍ସରୁ ୬୫୦୦ଟଙ୍କା ଲୁଟି ନେଇ ବରଗଡ଼ ପଟକୁ ଫେରାର୍‌ ହୋଇ ଯାଇଥିଲେ ବୋଲି ରବିନ୍ଦ୍ର ଅଭିଯୋଗ କରିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: bargarh news