ଘରେ କେହି ନଥିବା ସୁଯୋଗ ନେଇ ଲୁଟିନେଲେ ଦୁର୍ବୃତ୍ତ, ୩ ଲକ୍ଷ ସହ ସୁନା ଗହଣା…

କଲ୍ୟାଣସିଂହପୁର,୨୪।୪(ଦୀପକ କୁମାର ପରିଡା): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ଓ ଲୁଟ୍ ଘଟଣା ବୃଦ୍ଧି ପାଉଛି । କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଲୁଟ୍ କରିଥିବା ଘଟଣା ସମ୍ମୁଖକୁ ଆସିଛି । ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ବାସିନ୍ଦା ସୁଶାନ୍ତ ସେନାପତିଙ୍କ ଘରେ କେହି ନଥିବା ବେଳେ ଦୁର୍ବୁତ୍ତମାନେ ଘର ପଛପଟ ଦ୍ୱାର ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ।
ଘର ଭିତରେ ଥିବା ଆଲମାରୀକୁ ଭାଙ୍ଗି ଦୁର୍ବୁତ୍ତମାନେ ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଇଛନ୍ତି । ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ସୁନା ଚେନ୍, ଦୁଇଟି ମୁଦି, କାନ ଫୁଲ, ସୁନା ହାର ଓ ପ୍ରାୟ ୩ ଲକ୍ଷ ଟଙ୍କା ନଗଦ ରହିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶୀଘ୍ର ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଘଟଣା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଦୁର୍ବୁତ୍ତମାନଙ୍କୁ କେବେ ଧରାଯିବ ଏବଂ ଚୋରି ହୋଇଥିବା ସାମଗ୍ରୀ କେବେ ଉଦ୍ଧାର ହେବ ତାହା ଦେଖିବାକୁ ବାକି ରହିଲା ।

 

Dharitri – Odisha’s No.1 Odia Daily

Share