ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା  ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ କେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।

ସୂଚନା ଅନୁଯାୟୀ, ତାଲିମ କେନ୍ଦ୍ରରେ ସରକାରୀ ନିୟମ ଅନୁସାରେ ସକାଳ ୬ଟାରୁ ଆଇଟିଆଇ ଦ୍ୱିତୀୟ ବର୍ଷର କ୍ଲାସ୍‌ ଆରମ୍ଭ ହୋଇଥାଏ। ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଫାଟକରେ ତାଲା ପକାଯାଉଥିବା ଅଭିଯୋଗ ହୋଇଛି। ମୋହନା ଅଞ୍ଚଳର ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ର ହୋଇଥିବାରୁ ଆର୍‌. ଉଦୟଗିରି, ଚନ୍ଦ୍ରଗିରି, ମୋହନା, ଲୁହାଗୁଡ଼ି, ଅଡ଼ବା ଓ ରାଇପଙ୍କା ଅଞ୍ଚଳର ଛାତ୍ରୀଛାତ୍ର ଏଠାରେ ତାଲିମ ନେଉଛନ୍ତି।

ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ବସ୍‌ ନମିଳିବାରୁ କେତେକ ସମୟରେ ସେମାନେ ବିଳମ୍ବରେ ପହଞ୍ଚୁଛନ୍ତି। ଫଳରେ ଗତ ୧୫ ଦିନ ଧରି ୧୦ରୁ ଅଧିକ ଛାତ୍ର ଗେଟ୍‌ ବାହାରେ ଅପେକ୍ଷା କରି ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ନିଜ ଅଭିଭାବକଙ୍କୁ ଜଣାଇଥିଲେ।

ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୦ରେ ଅଭିଭାବକମାନେ ଏକାଠି ହୋଇ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। କିନ୍ତୁ ଅଧ୍ୟକ୍ଷ ସେମାନଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେଇନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହାପରେ ସେମାନେ ୧୧୨କୁ ଫୋନ୍‌ କରିଥିଲେ। ଖବର ପାଇ ମୋହନା ପେଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଅଧ୍ୟକ୍ଷ କେବଳ ଦୁଇଜଣ ମହିଳା ଅଭିଭାବକଙ୍କୁ ଭିତରକୁ ଯାଇ ଆଲୋଚନା କରିବାକୁ ଅନୁମତି ଦେଇଥିଲେ।

ତେବେ ଦୀର୍ଘ ଏକ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ କେନ୍ଦ୍ରର ଅଧ୍ୟକ୍ଷ ସୁଶାନ୍ତ ଜେନାଙ୍କୁ ପଚାରିବାରୁ, ଏହି ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଛି ବୋଲି କହିଥିଲେ। ଖୁବ୍‌ଶୀଘ୍ର ଅଭିଭାବକମାନଙ୍କୁ ଆଲୋଚନା ପାଇଁ ଡକାଯିବା ସହ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

 

Dharitri – Odisha’s No.1 Odia Daily

Share