ଏସ୍‌ସିବି ପବ୍ଲିକ ସ୍କୁଲରେ ତାଲା

କଟକ ଅଫିସ,୩।୧୨:ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ଲାଗି ଏସ୍‌ସିବି ପବ୍ଲିକ ସ୍କୁଲ ବନ୍ଦ ହେବ। ଏହି ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଯିବ। ତେବେ ସ୍କୁଲ ପରିଚାଳନା କମିଟିର ଏହି ନିଷ୍ପତ୍ତିରେ ଅଭିଭାବକମାନେ ଖପ୍ପା ହୋଇଛନ୍ତି। ବୁଧବାର ସକାଳେ ସ୍କୁଲ ମୁଖ୍ୟ ଫାଟକ ଆଗରେ ଶତାଧିକ ଅଭିଭାବକ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ସ୍କୁଲ କମିଟି ଅତି ତରବରିଆ ଭାବେ ଏପରି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ମଧ୍ୟ ଅଭିଭାବକମାନଙ୍କୁ ଆଗୁଆ ସୂଚନା ଦିଆଯାଇନାହିଁ। ଏହି ସ୍କୁଲକୁ ଡିଏଭି ସହ ମିଶ୍ରଣ କରାଗଲେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ତେଣୁ ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏସ୍‌ସିବି ପବ୍ଲିକ ସ୍କୁଲରେ ଅଧ୍ୟୟନରତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଯିବ। ଟ୍ୟୁଶନ ଫି ଅପରିବର୍ତ୍ତିତ ରଖିବା ସହ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଡିଏଭି ପରିଚାଳନା କମିଟିରେ ସାମିଲ ପାଇଁ ଚେଷ୍ଟା କରାଯିବ ବୋଲି ଏସ୍‌ସିବି ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। ଉଚ୍ଚଶିକ୍ଷା ତଥା ଦ୍ୱାଦଶ ଶ୍ରେଣୀ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ମିଶ୍ରଣ ସହାୟକ ହେବ ବୋଲି କୁହାଯାଇଛି।