ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପ୍ରକାଶ ଯେ, ସନ୍ତୋଷ ଗତ କିଛିଦିନ ପୁର୍ବରୁ ରାୟଗଡ଼ା ଜିଲାରେ ଏକ ମହୋତ୍ସବରେ ଯୋଗଦେଇ ଘରକୁ ଫେରିଥିଲେ। ଘରେ ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇ ଶନିବାର ଅପରାହ୍ନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେବାରୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତାଙ୍କୁ ପରିବାର ଲୋକେ ବ୍ରହ୍ମପୁର ନେବାବେଳେ ସେ ସୋରଡ଼ା ନିକଟରେ ଆହୁରି ଗୁରୁତର ହୋଇପଡ଼ିଥିଲେ। ପରେ ସୋରଡ଼ା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାଟି ବିଳମ୍ବିତ ରାତିରେ ହୋଇଥିବା ବେଳେ ସକାଳୁ ଏହା ପ୍ରଘଟ ହେବା ପରେ ସନ୍ତୋଷଙ୍କ ଗ୍ରାମ ସୁଲୁମାହାରେ ହଜାର ହଜାର ଲୋକ ଭିଡ଼ ଜମାଇଥିଲେ।
ସନ୍ତୋଷ ଓରଫ ବାବୁଲା ଅଞ୍ଚଳରେ ଜଣେ ଲୋକପ୍ରିୟ ବ୍ୟକ୍ତି ହୋଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ଦାରିଙ୍ଗବାଡ଼ି ଶାଖାର ଉପସଭାପତି ଭାବେ ଦାୟିତ୍ୱ ତୁଲାଇବା ସହ ସେ ପୁର୍ବରୁ ବିଭିନ୍ନ ରାଜନୈତିକ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ଏବେ ସେ କଂଗ୍ରେସ ଦଳରେ ଜଣେ ଶୃଙ୍ଖଳିତ କର୍ମୀଭାବେ ଥିଲେ ତାଙ୍କ ବିୟୋଗରେ କଂଗ୍ରେସର ବରିଷ୍ଠ ନେତା ଅମିରଚାନ୍ଦ ନାୟକ, ସୁରେନ୍ଦ୍ର ସାହୁ, ସନ୍ତୋଷ ପ୍ରଧାନ, ତିଆଡ଼ି ନାୟକ, ଶରତ ପ୍ରଧାନ ପ୍ରମୁଖ ପହଞ୍ଚି ଦଳୀୟ ପତାକା ତାଙ୍କ ମୃତଦେହରେ ଘୋଡ଼ାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ବିଭିନ୍ନ ବ୍ଲକରୁ ଓଡ଼ିଶା ଡ୍ରାଇଭର ସଂଘର କର୍ମକର୍ତ୍ତା ଓ ସାଥୀମାନେ ଶେଷ ଦର୍ଶନ କରିଥିଲେ।
ସୂଚନାଯୋଗ୍ୟ, ସନ୍ତୋଷଙ୍କ ସ୍ତ୍ରୀ ଚନ୍ଦ୍ରିକାଙ୍କ ସମେତ ତାଙ୍କର ୨ ଝିଅ ଓ ୨ ପୁଅ ରହିଛନ୍ତି। ଏଥିସହ ଭଉଣୀ ଓ ମା’ ସନ୍ତୋଷଙ୍କ ଉପରେ ନିର୍ଭର କରୁଥିଲେ। ତାଙ୍କ ଦେହାନ୍ତରେ ପୂରା ପରିବାର ଭାଙ୍ଗିପଡ଼ିଛନ୍ତି।


