ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ଜଙ୍ଗଲ ନିଆଁର ପ୍ରାବଲ୍ୟତା ଯେଉଁଭଳି ବୃଦ୍ଧି ପାଉଛି, ତାହା ଏବେ ଦେଶବ୍ୟାପୀ ସମସ୍ତେ ହୃଦ୍ବୋଧ କରୁଛନ୍ତି। ଓଡ଼ିଶାରେ ପୂର୍ବରୁ ମଧ୍ୟ ଏହିଭଳି ବାତ୍ୟା, ବନ୍ୟା ଓ ଠାଏ ଠାଏରେ ମରୁଡ଼ି ହୋଇ ଆସୁଛି। ସେ ସମ୍ପର୍କରେ ଆମେ ସମସ୍ତେ ଅଙ୍ଗେ ନିଭାଇ ଚାଲିଛୁ। ବିଶେଷକରି ସହରରେ ବର୍ଷାଜନିତ ବନ୍ୟା ସାଙ୍ଗକୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ମନୁଷ୍ୟକୃତ ବିପର୍ଯ୍ୟୟର ଭୟାବହତାକୁ ସୂଚିତ କରିଛି। ନିକଟ ଅତୀତରୁ କେରଳଠାରୁ ଆରମ୍ଭ କରି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ମଣିପୁର ଭଳି ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀରରେ ନିୟମିତ ଭୂସ୍ଖଳନ ଯୋଗୁ ବ୍ୟାପକ ଧନଜୀବନ ହାନି ହେଉଛି। ଚଳିତ ମାସର ବିଗତ ୧୫ ଦିନକୁ ଦେଖିଲେ ୫ ଅଗଷ୍ଟରେ ଉତ୍ତରାଖଣ୍ଡର ଧରାଳି ପରେ ଜମ୍ମୁ ଓ କଶ୍ମୀରରେ ଗତ ସପ୍ତାହରେ ଦୁଇଥର ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ସୂଚନା ଦେବା ସହିତ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ କେରଳର କୁନ୍ନୁର ଜିଲା କାନିଚାର ଗ୍ରାମ ପଞ୍ଚାୟତ ପକ୍ଷରୁ ଏବେ ନିଆଯାଇଥିବା ଏକ ଅଭିନବ ପ୍ରୟାସ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭାରତରେ ପ୍ରଥମେ ଏହି ଗ୍ରାମ ପଞ୍ଚାୟତରେ ‘ଲିଭିଂ ଲାବ୍’ ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୨ରେ ଘଟିଥିବା ଭୂସ୍ଖଳନରେ ଏହି ଗ୍ରାମ ପଞ୍ଚାୟତର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶହ ଏକର ଚାଷଜମି ଉପରେ ପଥର ଓ ମାଟି ମାଡ଼ିଯାଇ ଲୋକଙ୍କ ଜୀବିକାକୁ ଘୋର ପ୍ରଭାବିତ କରିଥିଲା। ତେବେ ଜଳବାୟୁ ସମ୍ବେଦନଶୀଳତା ଓ ପ୍ରାକୃତିକ ବିପର୍ଯ୍ୟୟଜନିତ ଜଟିଳ ସ୍ଥିତିକୁ ମୁକାବିଲା କରିବା ସକାଶେ ଲୋକଙ୍କୁ ପୂର୍ବରୁ ସତର୍କ ସୂଚନା ଦେବାରେ ଲିଭିଂ ଲାବ୍ ବିଶେଷ ସହାୟକ ହେବ। ଗବେଷଣା ଓ ଅନୁଧ୍ୟାନ ଆଧାରରେ ନିର୍ଦ୍ଦିଷ୍ଟ ଅଞ୍ଚଳର ଭୌଗୋଳିକ ଓ ପାଣିପାଗଜନିତ ସ୍ଥିତି ସମ୍ପର୍କିତ ତଥ୍ୟ ସ୍ଥାନୀୟ ଅଧିବାସୀଙ୍କୁ ଜଣାଇବା ସହିତ ଅସ୍ବାଭାବିକତାକୁ କିଭଳି ମୁକାବିଲା କରାଯାଇପାରିବ, ସେ ସଂକ୍ରାନ୍ତରେ ଲିଭିଂ ଲାବ୍ କାମ କରୁଥିବା ଜଣାପଡ଼ିଛି। ନେଦରଲାଣ୍ଡ୍ସରେ ଏହି ବ୍ୟବସ୍ଥା ପ୍ରଥମେ ବିକଶିତ କରାଯାଇଥିଲା। ସେହି ଅନୁଯାୟୀ କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସ୍ଡିଏମ୍ଏ) ଲିଭିଂ ଲାବ୍କୁ କାର୍ଯ୍ୟକାରୀ କରୁଛି। ଏଥିରେ ସରକାରୀ ସଂସ୍ଥା, ବିଶେଷଜ୍ଞ, ଘରୋଇ ସଙ୍ଗଠନ ଓ ଭଦ୍ର ସମାଜକୁ ସାମିଲ କରାଯାଇଛି। ଫଳରେ ଗ୍ରାମ ପଞ୍ଚାୟତରେ ସ୍ଥାପିତ ଏହି ସ୍ବୟଂଚାଳିତ ପାଣିପାଗ କେନ୍ଦ୍ରରୁ ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରତ୍ୟେକ ଦିନ ବର୍ଷା ଓ ପବନର ବେଗ ସମ୍ପର୍କରେ ତଥ୍ୟ ଜାଣିପାରୁଛନ୍ତି। ଭାରତ ପାଣିପାଗ କେନ୍ଦ୍ର (ଆଇଏମ୍ଡି)ର ଆଞ୍ଚଳିକ କାର୍ଯ୍ୟାଳୟ କେରଳରେ ଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ଏଭଳି ଅଭିନବ ପଦକ୍ଷେପ ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ପାଣିପାଗଜନିତ ସଦ୍ୟତମ ସୂଚନା ଦେବାରେ ଅଧିକ ପ୍ରଭାବଶାଳୀ ହେଉଥିବା ଦେଖାଯାଉଛି। ବିଶେଷକରି ୬୦ ସଦସ୍ୟ ବିଶିଷ୍ଟ ଏକ ଟିମ୍କୁ ଜରୁରିକାଳୀନ ସ୍ଥିତିର ମୁକାବିଲା ପାଇଁ ସର୍ବଦା ଜାଗତିଆର ରଖାଯାଇଛି।
ଏଥିରୁ ବୁଝିବାକୁ ହେବ ଯେ, କେବଳ ପାଣିପାଗ ସୂଚନା ମିଳିଗଲେ ତାହାକୁ କିଭଳି ଭାବେ ବାସ୍ତବ ଜୀବନରେ ଉପଯୋଗ କରିହେବ, ସେ ସମ୍ପର୍କରେ ସାଧାରଣ ନାଗରିକ ସଚେତନ ନାହାନ୍ତି। ତେଣୁ ଖାଲି ସୂଚନା ନୁହେଁ, ତାହାର ବ୍ୟବହାରିକତା ଅଧିକ ଗୁରୁତ୍ୱ ବହନ କରୁଛି। ଏଥିସହିତ ଯେଉଁ ଅଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରହିଛି, ସେସବୁ ସ୍ଥାନରେ ଯେଭଳି ମନୁଷ୍ୟକୃତ ବିପଦ ସୃଷ୍ଟି ନ ହେବ ସେହି ଦିଗରେ ସ୍ଥାନୀୟ ଅଧିବାସୀଙ୍କୁ ସମ୍ପୃକ୍ତ କରାଇବାର ସମୟ ଆସିଲାଣି। ଏକ ପରିସଂଖ୍ୟାନ କୁହେ, ୨୦୧୫ରୁ ୨୦୨୨ ମଧ୍ୟରେ ସମଗ୍ର ଭାରତରେ ଦେଖାଦେଇଥିବା ଭୂସ୍ଖଳନର ପାଖାପାଖି ୬୦ ପ୍ରତିଶତ କେରଳରେ ଘଟିଥିଲା। ମନେପକାଇ ଦିଆଯାଇପାରେ ଯେ, ୨୦୨୪ ଜୁଲାଇ ୩୦ରେ କେରଳର ଓ୍ବାୟନଡାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୨୫୪ ଜଣଙ୍କ ମୃତ୍ୟୁ ହେବା ସହ ୧୧୮ ଲୋକ ନିଖୋଜ ହୋଇଥିଲେ। ଏଥିରେ ୩୯୭ ଆହତ ହୋଇଥିଲେ। ଏଭଳି ଭୂସ୍ଖଳନର କାରଣ ଖୋଜାଯିବା ପରେ ଜଣାପଡ଼ିଥିଲା ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ପ୍ରଚୁର ବର୍ଷାଜନିତ ବନ୍ୟାକୁ ରୋକିବା ପାଇଁ ଥିବା ଜଙ୍ଗଲ ସମୟକ୍ରମେ ମନୁଷ୍ୟକୃତ କ୍ଷତିକାରକ କାର୍ଯ୍ୟ ଯୋଗୁ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ଯେଉଁଠିପାରେ ସେଇଠି ଅନିୟନ୍ତ୍ରିତ ନିର୍ମାଣ ଯୋଗୁ ପ୍ରାକୃତିକ ଜଳଉତ୍ସ ସଙ୍କୁଚିତ ହୋଇଯାଉଥିବା ବେଳେ ବର୍ଷା ଜଳ ଠିକ୍ ଭାବେ ନିଷ୍କାସନ ନ ହୋଇ ବିପର୍ଯ୍ୟୟ ସୃଷ୍ଟି କରୁଛି। ସେହିପରି ପର୍ବତର କଠିନ ସ୍ତର ଦୁର୍ବଳ ହୋଇଯିବାରୁ ମାଟି ଅତଡ଼ା ଧସି ଜନଜୀବନକୁ ବିପଦରେ ପକାଉଛି। ଏହିଭଳି ବହୁବିଧ କାରଣ ଭୂସ୍ଖଳନ ସୃଷ୍ଟି କରୁଥିବାରୁ ସେଥିରୁ କିଭଳି ତ୍ରାହି ମିଳିବ, ସେଥିଲାଗି ସ୍ଥାନୀୟ ପ୍ରଶାସନ ନିଦ୍ଦିର୍ର୍ଷ୍ଟ ଅଞ୍ଚଳର ଅଧିବାସୀଙ୍କୁ ବିକାଶ ଯୋଜନାରେ ଯୋଡ଼ିବା ଦରକାର। ପ୍ରାକୃତିକ ଅବସ୍ଥିତି ବିଷୟରେ ସେହିମାନେ ହିଁ ଭଲ ଭାବେ ଅବଗତ ଥାଆନ୍ତି। ତେଣୁ ସେମାନେ ସେମାନଙ୍କ ଅଞ୍ଚଳରେ ପରିସଂସ୍ଥାନକୁ କ୍ଷତି ନ ପହଞ୍ଚାଇଲା ଭଳି କେଉଁଠି ସଡ଼କ, ଶିଳ୍ପ ତଥା ଅନ୍ୟାନ୍ୟ ନିର୍ମାଣ ହୋଇପାରିବ ସେହି ଦିଗରେ ପ୍ରସ୍ତାବ ଦେଇପାରନ୍ତେ। ସେଗୁଡ଼ିକୁ ବିଶେଷଜ୍ଞ ଓ ପ୍ରଶାସନ ତର୍ଜମା କରି ଆଗକୁ ବଢ଼ିଲେ ବିପର୍ଯ୍ୟୟ ହ୍ରାସ ପାଇପାରନ୍ତା। ବର୍ଷାଜନିତ ଭୂସ୍ଖଳନ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ନେଇ କାନିଚାର ଗ୍ରାମ ପଞ୍ଚାୟତରେ ସ୍ଥାପନ କରାଯାଇଥିବା ‘ଲିଭିଂ ଲାବ୍’ ବ୍ୟବସ୍ଥା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇପାରନ୍ତା। ଭୂସ୍ଖଳନ ନ ହେଲେ ମଧ୍ୟ ଓଡ଼ିଶାରେ ଅନେକ ଅତ୍ୟନ୍ତ କ୍ଷତିକାରକ ପ୍ରାକୃତିକ ବିପର୍ଯ୍ୟୟ ଦୀର୍ଘବର୍ଷ ଧରି ଘଟିଆସୁଛି। ଏବେ ଆଇଏମ୍ଡି ତରଫରୁ ମିଳୁଥିବା ତଥ୍ୟ ପୂର୍ବାପେକ୍ଷା ପାଖାପାଖି ଠିକ୍ ଆସିଲାଣି। ଏଭଳି ସ୍ପଷ୍ଟ ତଥ୍ୟ ସହିତ ‘ଲିଭିଂ ଲାବ୍’ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କୁ ନିଜର ସୁରକ୍ଷା ପାଇଁ ସମ୍ପୃକ୍ତ କରାଯାଇପାରନ୍ତା, ତାହା ହେଲେ ଏହି ରାଜ୍ୟର ଅନେକ ମଙ୍ଗଳ ଘଟିପାରନ୍ତା। ଏଥିସହିତ ହିମାଳୟ ସଂଲଗ୍ନ ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହିତ ମନୁଷ୍ୟକୃତ ବିପଦ କିଭଳି ନ ହେବ ସେଥିଲାଗି ଆଗୁଆ ପଦକ୍ଷେପ ନେବାର ମଧ୍ୟ ସମୟ ଆସିଲାଣି। ଏଠାରେ ବିକାଶକୁ ବିରୋଧ କରାଯାଉ ନାହିଁ, କିନ୍ତୁ ପରିବେଶ ଅନୁକୂଳ ଉନ୍ନତି ଘଟିଲେ ପରିସଂସ୍ଥା ଅର୍ଥାତ୍ ଉଭୟ ଉଦ୍ଭିଦ ଓ ପ୍ରାଣିଜଗତ ତିଷ୍ଠି ରହନ୍ତା।


