Categories: ଜାତୀୟ

ଲିଭ୍‌-ଇନ୍‌ ସମ୍ପର୍କ ବ୍ୟକ୍ତିଗତ ସ୍ବାଧୀନତା

ପ୍ରୟାଗରାଜ, ୩୦।୧୦(ଆଇଏଏନ୍‌ଏସ୍‌): ଲିଭ୍‌-ଇନ ରିଲେଶନଶିପ୍‌ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି। ତେଣୁ ସାମାଜିକ ନୈତିକତା ପରିବର୍ତ୍ତେ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଚଷମାରେ ଦେଖିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଶୁକ୍ରବାର କହିଛନ୍ତି। ଏକତ୍ର ରହୁଥିବା ଭିନ୍ନ ଧର୍ମର ଯୋଡ଼ିଙ୍କ ପକ୍ଷରୁ ଦାଏର ଦୁଇଟି ଅଲଗା ପିଟିଶନକୁ ଜଷ୍ଟିସ୍‌ ପ୍ରୀତିଙ୍କର ଦିଓ୍ବାକର ଏବଂ ଆଶୁତୋଷ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ବିଚାର କରି ଉପରୋକ୍ତ ରାୟ ଦେଇଛନ୍ତି। ଲିଭ୍‌-ଇନ୍‌ ରିଲେଶନଶିପ୍‌କୁ ସର୍ବୋଚ୍ଚ ଅଦାଲତ ଅନୁମୋଦନ କରିଥିବାରୁ ଏହାକୁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଦିଆଯାଇଥିବା ଜୀବନଧାରଣ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଭାବେ ଦେଖିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ।
ସେମାନଙ୍କ ଦୈନନ୍ଦିନ ଜୀବନରେ ମହିଳାଙ୍କ ପରିବାର ହସ୍ତକ୍ଷେପ କରିବା ସହ ଧମକ ଦେଉଥିବା ଅଭିଯୋଗ କରି ଦୁଇ ଯୋଡ଼ି ଅଲଗା ଅଲଗା ପିଟିଶନ ଦାଏର କରିଥିଲେ। କୁଶିନଗରର ଶାଇରା ଖାତୁନ୍‌ ଓ ତାଙ୍କ ପୁରୁଷ ଯୋଡ଼ି ଦୁଇବର୍ଷ ହେଲା ଲିଭ୍‌-ଇନ୍‌ ରିଲେଶନରେ ରହିଛନ୍ତି। ସେହିପରି ମିରଟର ଜିନତ ପର୍‌ଭିନ ଓ ତାଙ୍କ ପୁରୁଷ ଯୋଡ଼ି ମଧ୍ୟ କିଛିଦିନ ହେଲା ଏକତ୍ର ବାସରେ ରହୁଛନ୍ତି। ଉଭୟ ଯୋଡ଼ି ସାବାଳକ ହୋଇଥିବାବେଳେ ମହିଳାଙ୍କ ପରିବାର ସେମାନଙ୍କ ଜୀବନରେ ହସ୍ତକ୍ଷେପ କରୁଥିବା ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ସହାୟତା କରିବାକୁ ମନା କରିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୧ରେ ପ୍ରତିଷ୍ଠାପିତ ଜୀବନଧାରଣ ଅଧିକାରକୁ ଯେକୌଣସି ମୂଲ୍ୟ ଦେଇ ସୁରକ୍ଷା ଦେବାକୁ ହେବ। ଆବେଦନକାରୀଙ୍କ ଅଧିକାରର ସୁରକ୍ଷା ପୋଲିସ୍‌ର କର୍ତ୍ତବ୍ୟ। ଆବେଦନକାରୀଙ୍କ ଜୀବନ ଓ ସ୍ବାଧୀନତା ପ୍ରତି ବିପଦ ରହିଥିବା ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିବାରୁ ଆଇନ ଅନୁଯାୟୀ କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share