Categories: Home Leftଖେଳ

ଧୋନୀ, ରାହୁଲ-ପନ୍ତଙ୍କୁ ପଛରେ ପକାଇଲେ ଏହି ଖେଳାଳି, ଦକ୍ଷିଣ ଆଫ୍ରିକାରେ ରଚିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୧୬।୧୧: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଆପଣ ଜାଣିଥିବେ, ଦକ୍ଷିଣ ଆଫ୍ରିକାର ପିଚରେ ରନ କରିବା ଆଦୌ ସହଜ ନୁହେଁ। ବିଶେଷକରି ଏସୀୟ ଦଳଗୁଡ଼ିକୁ ସେଠାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ସବୁ ଚ୍ୟାଲେଞ୍ଜକୁ ପଛରେ ପକାଇ ବାଂଲାଦେଶର ଉଇକେଟ୍‌କିପର ବ୍ୟାଟର୍‌ ଲିଟନ ଦାସ ଜୋହାନ୍ସବର୍ଗରେ ଧମାକାଦାର ଶତକ ହାସଲ କରିଛନ୍ତି। ତାଙ୍କର ଦମଦାର ବ୍ୟାଟିଂ ଜାରି ରହିଥିବା ବେଳେ ଏହି ଇନିଂସ ଜରିଆରେ ସେ ଅନେକ ଦିଗ୍ଗଜ ଖେଳାଳିଙ୍କୁ ପଛରେ ପକାଇ ନୂଆ ଇତିହାସ ରଚିଛନ୍ତି।

ପ୍ରଥମ ଇନିଂସରେ ବାଂଲାଦେଶ ଦଳ ଏକଦା ଗଭୀର ସଙ୍କଟରେ ପଡ଼ିଥିଲା। ଏଭଳି ସମୟରେ ବ୍ୟାଟିଂ କରିବାକୁ ଆସି ଲିଟନ ଦାସ ଦଳର ସ୍ଥିତି ସମ୍ଭାଳିଥିଲେ। ତାଙ୍କୁ ତୌହିଦ ହୃଦୟଙ୍କ ଭଲ ସହଯୋଗ ମଧ୍ୟ ମିଳିଥିଲା। ସେ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ।

ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକା ମାଟିରେ ଜଣେ ଏସୀୟ ଉଇକେଟ୍‌ କିପର ବ୍ୟାଟର୍ଙ୍କ ସର୍ବାଧିକ ସ୍କୋରର ରେକର୍ଡ କେଏଲ ରାହୁଲଙ୍କ ନାଁରେ ଥିଲା। ସେ ୧୦୧ ରନ କରିଥିଲେ। ଏହାବ୍ୟତୀତ ଋଷଭ ପନ୍ତ ମଧ୍ୟ ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନାଁରେ ୯୦ ରନର ରେକର୍ଡ ରହିଥିଲା। କିନ୍ତୁ ଏବେ ଲିଟନ ଦାସ ଏହି ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି।

ଲିଟନ ଦାସ ୧୭୯ଟି ବଲର ସାମ୍ନା କରି ୧୨୦ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୧୪ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଥିଲା। ଏହାସହ ସେ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିଥିବା ବାଂଲାଦେଶର ପ୍ରଥମ ଉଇକେଟ୍‌କିପର ବ୍ୟାଟର୍‌ ହୋଇଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ ଯେ, SENA ଦେଶଗୁଡ଼ିକରେ ଏସୀୟ ଉଇକେଟ୍‌କିପରଙ୍କ ଶତକ ହାସଲ କରିବାର ରେକର୍ଡ ବେଶ ବିରଳ। ଏହି ତାଲିକାର ଶୀର୍ଷରେ ଋଷଭ ପନ୍ତ ରହିଛନ୍ତି। ତାଙ୍କ ନାଁରେ ୬ଟି ଶତକ ରହିଛି।

ଶତକ ହାସଲ କରିବା ପରେ ଲିଟନ ଦାସ ଏକ ନିଆରା ଢଙ୍ଗରେ ଏହାକୁ ସେଲିବ୍ରେଟ କରିଥିଲେ। ତାଙ୍କର ଏହି ଅନ୍ଦାଜ ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ନିଜ ନିଜ ଆସନରୁ ଉଠି ତାଳି ମାରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମ୍ୟାଚ୍ର ୮୮ତମ ଓଭରରେ ମାର୍କୋ ୟାନସେନଙ୍କ ବଲରେ ଛକା ମାରି ଲିଟନ ନିଜ ଶତକ ପୂରଣ କରିଥିଲେ।

ଶତକ ପୂରଣ କରିବା ପରେ ସେ ଏକ କାଗଜ ଖଣ୍ଡ ଦେଖାଇଥିଲେ। ସେଥିରେ ନିଜ ଝିଅ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଥିଲେ। ସେଥିରେ ଲେଖାଥିଲା, “ମୋ ରାଜକୁମାରୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା। ଏହି ଶତକ ତୁମ ପାଇଁ।” ନିଜ ଝିଅର ଜନ୍ମଦିନରେ ଶତକ ହାସଲ କରି ଲିଟନ ବେଶ ଖୁସି ଥିଲେ। ତାଙ୍କ ପାଇଁ ଏହି ଶତକ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା।

Dharitri – Odisha’s No.1 Odia Daily

Share
Tags: Litton Das