ଭାରତରେ ଲିଥିୟମ୍‌

ଖବର ମିଳିଛି ଜମ୍ମୁ ଓ କଶ୍ମୀରର ରିଆସି ଜିଲାରେ ଥିବା ଖଣିରେ ୫.୯ ନିୟୁତ ଟନ୍‌ ଲିଥିୟମ୍‌ ଅଛି। ଏହା ଏକ ଅଣ-ଲୌହଯୁକ୍ତ ପଦାର୍ଥ। ଏହି ତେଜସ୍କ୍ରିୟ ଖଣିଜ ପଦାର୍ଥ ସ୍ବଚ୍ଛ ଶକ୍ତି ଭାବେ ପରିଗଣିତ ହୋଇଥାଏ ଓ ସ୍ବଳ୍ପ ସ୍ଥାନରେ ପ୍ରଚୁର ପରିମାଣର ଶକ୍ତିକୁ ଗଚ୍ଛିତ କରି ରଖାଯାଇପାରୁଥିବାରୁ ବ୍ୟାଟେରିରେ ଏହାକୁ ପ୍ରମୁଖ ଉପାଦାନ ଭାବେ ବ୍ୟବହାର କରାଯାଇଥାଏ। ମୋବାଇଲ, ଲାପ୍‌ଟପ୍‌ ଓ ଇଲେକ୍‌ଟ୍ରିକ୍‌ ଭେହିକିଲ୍ସ (ଇଭି) ସକାଶେ ଏହାର ଯଥେଷ୍ଟ ଆବଶ୍ୟକତା ଥିବାରୁ ଏହି ଶକ୍ତି ଉତ୍ସ ପଛରେ ସାରା ବିଶ୍ୱ ପଡ଼ି ରହିଛି। ଆମେରିକା ଭୂତାତ୍ତ୍ୱିକ ସର୍ଭେ (ୟୁଏସ୍‌ଜିଏସ୍‌) ତଥ୍ୟ ଅନୁଯାୟୀ ବିଶ୍ୱରେ ୮୦ ନିୟୁତ ଟନ୍‌ ପରିମାଣର ଲିଥିୟମ୍‌ ଖଣି ଚିହ୍ନଟ ହୋଇଥିବା ବେଳେ ସେଥିରୁ ମାତ୍ର ୨୨ ନିୟୁତ ଟନ୍‌ ଖଣି ଉତ୍ତୋଳନ ଉପଯୋଗୀ ହୋଇପାରିଛି। ବିଶ୍ୱରେ ଗଚ୍ଛିତ ଲିଥିୟମର ଅଧାରୁ ଅଧିକ ଦକ୍ଷିଣ ଆମେରିକୀୟ ଦେଶରେ ରହିଛି। ତେବେ ଲିଥିୟମ୍‌-ଆୟନ୍‌ ବ୍ୟାଟେରି ଉତ୍ପାଦନରେ ଚାଇନା ଆଗରେ ରହିଛି। ଭାରତ ଏହି ଖଣିଜ ପଦାର୍ଥର ବହୁଳ ପରିମାଣ ଆମଦାନୀ କରି ଚାହିଦା ମେଣ୍ଟାଉଛି।
ଏବେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ସମଗ୍ର ପୃଥିବୀ ପାଇଁ ବିପଦ ଭାବେ ଉଭା ହୋଇଛି। ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ପ୍ରଦୂଷଣକାରୀ ପଦାର୍ଥରୁ ରକ୍ଷାପାଇବା ଲାଗି ମଣିଷ ବିକଳ୍ପ ଶକ୍ତି ଉତ୍ସ ସନ୍ଧାନ କରିଚାଲିଛି। ଲିଥିୟମ୍‌ ପରିବେଶ ଅନୁକୂଳ ଧାତୁ ଓ ଅଳ୍ପ ପରିମାଣରୁ ଅଧିକ ଶକ୍ତି ଏଥିରୁ ମିଳିପାରୁଥିବାରୁ ଯେଉଁ ଦେଶରେ ଏହାକୁ ଠାବ କରାଯାଉଛି, ସେହି ରାଷ୍ଟ୍ର ଧନୀ ହେଉଛନ୍ତି ବୋଲି କୁହାଯାଉଛି। କିନ୍ତୁ ଭାରତରେ ଲିଥିୟମ୍‌ ଖନନରୁ ଆସିବାକୁ ଥିବା ଧନ ଦେଶବାସୀଙ୍କ ପାଖରେ ପହଞ୍ଚତ୍ବ ନାହିଁ। କ୍ଷମତାସୀନ ବ୍ୟକ୍ତିଙ୍କ ନିକଟତର ଘରୋଇ କମ୍ପାନୀକୁ ସୁନିଶ୍ଚିତ ଉତ୍ତୋଳନ ଦାୟିତ୍ୱ ମିଳିବ ଏବଂ ବିନା ଦ୍ୱନ୍ଦ୍ୱରେ କହିହେବ ଯେ, ଦେଶର ଦୁଇରୁ ଚାରିଟି ପରିବାର ଅପର୍ଯ୍ୟାପ୍ତ ଧନର ମାଲିକ ପାଲଟିବେ। ଏଥିସହିତ ଲିଥିୟମ୍‌ ଉତ୍ତୋଳନ ଏକ କଠିନ ବ୍ୟାପାର। ଉପଯୁକ୍ତ ପ୍ରଯୁକ୍ତି ବ୍ୟବହାର କରାଯାଇ ଦକ୍ଷତାର ସହିତ ଉତ୍ତୋଳନ କରାଯାଇ ନ ପାରିଲେ ତାହା ଅର୍ଥନୈତିକ ଓ ପରିବେଶଗତ କ୍ଷତି ପହଞ୍ଚାଇଥାଏ। ଜମ୍ମୁ ଓ କଶ୍ମୀର କଥା ଦେଖିଲେ ରିଆସି ଅଞ୍ଚଳ ହିମାଳୟ ପରିବେଷ୍ଟିତ ହୋଇଥିବାରୁ ତାହା ପରିବେଶ ଦୃଷ୍ଟିକୋଣରୁ ଭଙ୍ଗୁର ବା ନରମା ରହିଛି। ତେଣୁ ସେଠାରୁ ବୈଜ୍ଞାନିକ ଉପାୟରେ ଖନନ ନ ହେଲେ ଅଧିକ କ୍ଷତି ଘଟାଇବ। ଭାରତ ଗବେଷଣା ଓ ବିକାଶ (ଆର୍‌ ଅଣ୍ଡ୍‌ ଡି)କୁ ସେଭଳି ଗୁରୁତ୍ୱ ଦେଉ ନ ଥିବାରୁ ହୁଣ୍ଡା ଭାବେ ସେହି ଇଲାକାକୁ ଖୋଳିଚାଲିଲେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ହେବା ଥୟ। ୨୦୨୧ରେ କର୍ନାଟକରେ ସ୍ବଳ୍ପ ପରିମାଣର ଲିଥିୟମ୍‌ ଗଚ୍ଛିତ ଥିବା ଭଣ୍ଡାରର ସନ୍ଧାନ ମିଳିଥିଲା। କିନ୍ତୁ ତାହାକୁ ବ୍ୟବହାର ଉପଯୋଗୀ ସ୍ତରକୁ ଅଣାଯାଇପାରି ନାହିଁ। ପୁନଶ୍ଚ କୁହାଯାଇପାରେ ଯେ, ଜମ୍ମୁ ଓ କଶ୍ମୀରରେ ପ୍ରଚୁର ପରିମାଣର ଲିଥିୟମ ଗଚ୍ଛିତ ଥିବା ଜଣାପଡ଼ିବା ପରେ ଦେଶର ବୃହତ୍‌ କର୍ପୋରେଟ୍‌ ସଂସ୍ଥା ତାହାକୁ ହାତେଇବା ପାଇଁ ଲାଗିପଡ଼ିପାରନ୍ତି। ଭାରତରେ ବଡ଼ ଶିଳ୍ପ ସଂସ୍ଥା ସହ ସରକାରଙ୍କ ସମ୍ପର୍କ ଉତ୍ତମ ଥିବାରୁ ଏ ଦିଗରେ ଅନୁମତି ମିଳିବା ସହଜ ହୋଇପାରେ। କିନ୍ତୁ ସରକାର ସେହି ଭୁଲ୍‌ କରିବସିଲେ ପରିବେଶଗତ ବିପଦ ଅଧିକ ଘନୀଭୂତ ହେବ। ଘରୋଇ ସଂସ୍ଥାଗୁଡ଼ିକ ମନଇଚ୍ଛା ଉତ୍ତୋଳନ କରିବା ପାଇଁ ଲାଗିପଡ଼ି ସମ୍ପୃକ୍ତ ଅଞ୍ଚଳକୁ ଛାରଖାର କରିଦେବେ। ତେଣୁ ସରକାର ଏଭଳି ମୂଲ୍ୟବାନ ଧାତୁକୁ ନିଜ ନିୟନ୍ତ୍ରଣ ଭିତରେ ରଖି ଉତ୍ତୋଳନ କରିବା ଦରକାର। ପ୍ରଥମେ ଏହାର ଖନନ ଲାଗି ଆର୍‌ ଆଣ୍ଡ୍‌ ଡି ବ୍ୟବସ୍ଥା କରାଯାଉ। ଲିଥିୟମ୍‌ ସମୃଦ୍ଧ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବଲିଭିଆ, ଆର୍ଜେଣ୍ଟିନା ଓ ଚିଲି ସହ ଭାରତ ଯୋଗାଯୋଗ କରିବା ଦରକାର। ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍‌ ବୋରିକ୍‌ ଫଣ୍ଟ୍‌ ଲିଥିୟମ୍‌ ଗଚ୍ଛିତ ଅଞ୍ଚଳକୁ ସରକାରୀ ନିୟନ୍ତ୍ରଣାଧୀନ କରିଛନ୍ତି। ଏଥିଲାଗି ଏକ ଜାତୀୟ ଲିଥିୟମ୍‌ ସଂସ୍ଥା ପ୍ରତିଷ୍ଠା କରିବାକୁ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଘରୋଇ କମ୍ପାନୀକୁ କ୍ଷୁଦ୍ର ଭାଗୀଦାରି ଭାବେ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି। କାରଣ ପରିବେଶ ସଂରକ୍ଷଣ ତାଙ୍କ ପାଇଁ ଅଧିକ ଗୁରୁତ୍ୱ ବହନ କରୁଥିବା ଫଣ୍ଟ୍‌ ଦର୍ଶାଇଛନ୍ତି। ଚିଲି ରାଷ୍ଟ୍ରପତିଙ୍କ ଚିନ୍ତାଧାରାକୁ ଭାରତ ଗ୍ରହଣ କରିବା ଦରକାର। କାରଣ ଏହି ଧାତୁ ପ୍ରତି ପ୍ରବଳ ଲୋଭ ରହୁଥିବାରୁ ଘରୋଇ କମ୍ପାନୀଙ୍କ ହସ୍ତକ୍ଷେପ ବିଡ଼ମ୍ବନା ସୃଷ୍ଟି କରିପାରେ। ଏଠାରେ ଆହୁରି ମନେରଖିବାକୁ ହେବ ଯେ, ଜମ୍ମୁ ଓ କଶ୍ମୀର ଏଭଳି ଏକ ପ୍ରାନ୍ତ ଯାହାକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ସହ ତୁଳନା କରିହେବ ନାହିଁ। କେବଳ ପରିବେଶ ସୁରକ୍ଷାରେ ସମସ୍ୟା ସୀମିତ ରହିବ ନାହିଁ। ଲିଥିୟମ୍‌ ଖନନ ବେଳେ ଅନେକ ରାଜନୈତିକ ସମସ୍ୟା ଉପୁଜିବା ସୁନିଶ୍ଚିତ ମନେହେଉଛି।
ମଣିଷର ଲୋଭ ଉତ୍ତରାଖଣ୍ଡର ଜୋଷୀମଠକୁ କେଉଁଭଳି ସ୍ତରକୁ ନେଇ ଆସିଛି ତାହା ଦେଶବାସୀ ଦେଖିଲେ। ବର୍ତ୍ତମାନ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନକୁ ରୋକିବା ଲାଗି ସ୍ବଚ୍ଛ ଶକ୍ତିର ବ୍ୟବହାର ଆବଶ୍ୟକ ହୋଇପଡ଼ିଲାଣି। କିନ୍ତୁ ବିକଳ୍ପ ଉପଯୋଗିତା ପାଇଁ ଧାଇଁ ଯଦି ତରବରିଆ ଭାବେ ପଦକ୍ଷେପ ନିଆଯିବ, ତେବେ ସ୍ଥିତି ଆହୁରି ସଙ୍ଗିନ ହୋଇଯିବ। ଲିଥିୟମ୍‌ ଭଣ୍ଡାର ଠାବ ହେବା ଦେଶ ପାଇଁ ଶୁଭ ଖବର। କିନ୍ତୁ ତାହାକୁ ବ୍ୟବହାର ଉପଯୋଗୀ କରିବା ସ୍ତରକୁ ଆଣିବା ସକାଶେ ସରକାରଙ୍କୁ ଅଧିକ ଦାୟିତ୍ୱବାନ୍‌ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri