‘‘ସାହିତ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିଉଠେ’‘

କେସିଙ୍ଗା, ୨୯/୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା  କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦର ୩୮ତମ ରାଜ୍ୟସ୍ତରୀୟ ଲେଖକ ସମାବେଶ ଓ ପୁଷ୍ପୁନି ଭେଟଘାଟ ସମାରୋହ ରବିବାର ସ୍ଥାନୀୟ ଋଷି ସାହା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାନେତ୍ରୀ ଯଜ୍ଞାସେନୀ ସାହାଙ୍କ ନେତୃତ୍ୱରେ ଏହି ସମାରୋହ ଆୟୋଜିତ ହୋଇଥିଲା।

ପ୍ରଥମେ ଅତିଥିମାନେ ମା’ ସରସ୍ୱତୀ ଓ ଗଣେଶଙ୍କ କାଷ୍ଠ ପ୍ରତିମୂର୍ତ୍ତିରେ ଧୂପଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଉଦ୍‌ଘାଟନୀ ସମାରୋହରେ ଶାନ୍ତିନିକେତନ, ପଶ୍ଚିମବଙ୍ଗର କବି ଓ ଶିକ୍ଷାବିତ୍ ପ୍ରଫେସର ଗିରିବାଳା ମହାନ୍ତି, ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସ୍ୱତନ୍ତ୍ର ଅତିଥି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ, ସମ୍ମାନିତ ଅତିଥି ଜୟନ୍ତ କୁମାର ବେହେରା ଓ ପୂର୍ବତନ ନଗରପାଳ ରାମ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ଦରୱାନ ସାହିତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, “ମୁଁ ଜଣେ କବି ନୁହେଁ। ଜିଲ୍ଲା ପ୍ରଶାସନରେ ଥିଲେ ମଧ୍ୟ ସାହିତ୍ୟକୁ ଭଲ ପାଏ। ସାହିତ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିଉଠିଥାଏ।” ଏଥିସହ ସେ ସାହିତ୍ୟର ମହତ୍ତ୍ୱ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ କବି, କବୟିତ୍ରୀ, କଥାକାର, ଯୁବକବି ଓ ପ୍ରାବନ୍ଧିକମାନେ ଯୋଗଦେଇଥିଲେ।

ରାଜ୍ୟସ୍ତରୀୟ କବିତା ପାଠୋତ୍ସବକୁ କବି ତଥା ପ୍ରାକ୍ତନ ଅଧ୍ୟାପିକା ମଞ୍ଜୁମେଧା ଗୁରୁ ସଭାନେତ୍ରୀ ଭାବେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ରଞ୍ଜନ କୁମାର ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ତପନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share