ସାହିତ୍ୟ, ସଂସ୍କୃତି ଓ ପରମ୍ପରା

ଇଂ. ମୁରଲୀଧର ହୋତା

ସଂସ୍କୃତି ତିନି ଅକ୍ଷର ବିଶିଷ୍ଟ ଏକ କ୍ଲିଷ୍ଟ ଶବ୍ଦ। ମାତ୍ର ସାଗରର ବ୍ୟାପକତା ଓ ଗଭୀରତା ଯେପରି ଜଣେ ସାଧାରଣ ବୁଦ୍ଧିସମ୍ପନ୍ନ ମଣିଷ ପକ୍ଷରେ କଳନା କରିବା ଦୁରୂହ ବ୍ୟାପାର, ସେହିପରି ସଂସ୍କୃତିର ବ୍ୟାପକତା ସୁଦୂରପ୍ରସାରୀ। ଉପରୋକ୍ତ ଶୀର୍ଷକରେ ଭାଷା ଓ ସାହିତ୍ୟ ଉଭୟ ସଂସ୍କୃତିର ପରିସରଭୁକ୍ତ ଏବଂ ତହିଁ ମଧ୍ୟରେ ସମାହିତ ଥାଏ। ଜଣେ ଛାତ୍ରକୁ ‘ଚନ୍ଦ୍ରାଲୋକିତ ରଜନୀରେ ଆକାଶର ବର୍ଣ୍ଣନା’ ସମ୍ପର୍କିତ ଏକ ଆଲେଖ୍ୟ ଲେଖିବାକୁ କହିଲେ ସେ ଯେପରି ଆକାଶ, ଚନ୍ଦ୍ରମଣ୍ଡଳ, ତାରାଗଣ ଏବଂ ଜ୍ୟୋତ୍ସ୍ନାବିଧୌତ ରଜନୀରେ ଚନ୍ଦ୍ରମାର ସ୍ନିଗ୍ଧ, ମନୋରମ କିରଣ ଇତ୍ୟାଦି ସମ୍ପର୍କରେ ଆପାତତଃ ବର୍ଣ୍ଣନା କରିବାକୁ ବାଧ୍ୟ; ସେହିପରି ସଂସ୍କୃତି ପ୍ରସଙ୍ଗ ଉଠିଲେ ହିଁ ଉକ୍ତ ସଂସ୍କୃତିର ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ପର୍ବପର୍ବାଣି, ରୀତିନୀତି, ଖାଦ୍ୟ ପାନୀୟ, ବେଶ ପୋଷାକ, ଆଚାର ବ୍ୟବହାର ଇତ୍ୟାଦି ସେହି ସଂସ୍କୃତିର ପରିସର ହେବାକୁ ବାଧ୍ୟ। ତେବେ ସରଳରେ ଗୋଟିଏ ସଂସ୍କୃତି କିପରି ଗଢ଼ିଉଠେ, ତାହା ବୁଝିଗଲେ ସଂସ୍କୃତି କ’ଣ ତାହା ଜାଣିବାକୁ ଆଉ ବାକି ରହେନାହିଁ। ବରଂ ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସମୂହର ବିଶିଷ୍ଟତା, ମହାନତା, ବଡ଼ପଣିଆକୁ ବୁଝାଇଥାଏ। ଅତଃ ସଂପ୍ରଦାୟ ଅଥବା ସମାଜର ସାମୂହିକ ବ୍ୟବହାରକୁ ଆମେ ସଂସ୍କୃତି କହିପାରିବା। ଛୋଟିଆ ଉଦାହରଣଟିଏ ରଖୁଛି। ଖାଇବା ହେଉଛି ଆମର ପ୍ରକୃତି, ଲୁଚେଇକି ଖାଇବା ଆମର ବିକୃତି ଏବଂ ନିଜେ ଉପାସ ରହି ଭୋକିଲା ଲୋକଟିକୁ ଖୁଆଇବା ହେଉଛି ଆମର ଭାରତୀୟ ସଂସ୍କୃତି।
ଗୋଟିଏ ଜାତିର ଭାଷା ତା’ର ସଂସ୍କୃତି ସହିତ ଅତ୍ୟନ୍ତ ଘନିଷ୍ଠ ଭାବେ ସଂପୃକ୍ତ। ଭାଷା ମାଧ୍ୟମରେ ହିଁ ଆମେ ସଂସ୍କୃତିକୁ ଶିଖିଥାଉ। ଏହି ଭାଷା ମାଧ୍ୟମରେ ଆମର ମା’ବାପା ଆମକୁ ଆମ ଜାତିର ଚାଲିଚଳନ ବିଷୟରେ ଶିକ୍ଷା ଦେଇଥାଆନ୍ତି। ଭାଷା ହିଁ ସଂସ୍କୃତିର ବାହକ। ବିଭିନ୍ନ ଭାଷାରୁ ଉପାଦାନ ସଂଗ୍ରହ କରି ଆମ ଭାଷା ସମୃଦ୍ଧ ହୋଇଛି। ଅନ୍ୟାନ୍ୟ ଯେତେ ସ୍ରୋତ ଇତିହାସ ସହିତ ମିଶିଥିଲେ ମଧ୍ୟ ଆମର ଆର୍ଯ୍ୟତ୍ୱକୁ ସେମାନେ କେହି ଲୋପ କରିଦେଇ ପାରିନାହାନ୍ତି। ଭାଷା ସୃଷ୍ଟି ହେବା କାଳରୁ ଆମ ସଂସ୍କୃତିର ଅୟମାରମ୍ଭ ଘଟିଛି। ବିନା ଭାଷାରେ ସାହିତ୍ୟ ସୃଷ୍ଟି ହେବା ଅସମ୍ଭବ। ତେଣୁ ଭାଷା ସୃଷ୍ଟି ହେଲେ ସଂସ୍କୃତିର ଧାରା ପ୍ରବାହିତ ହୁଏ ଏବଂ ସମୟକ୍ରମେ ସାହିତ୍ୟର ସୃଷ୍ଟି ହୁଏ। ଇତିହାସ ଅନୁଯାୟୀ ଖାରବେଳଙ୍କ ରାଜତ୍ୱକାଳରେ ଓଡ଼ିଆ ଭାଷା ବିକଶିତ ଅବସ୍ଥାରେ ଥିଲା। ଏହା ହାତୀଗୁମ୍ଫା ଅଭିଲେଖରୁ ସ୍ପଷ୍ଟ। ପରେ ପରେ ଭୌମକରଙ୍କ ରାଜତ୍ୱରେ ଓଡ଼ିଆ ଭାଷା ସମୃଦ୍ଧ ହୋଇ ସାହିତ୍ୟ ସୃଷ୍ଟି କରିବାର ସାମର୍ଥ୍ୟ ଲାଭ କରିଥିଲା। ଶୂଦ୍ରମୁନି ସାରଳା ଦାସଙ୍କ ମହାଭାରତଠାରୁ ଆରମ୍ଭ କରି ବର୍ତ୍ତମାନର କବିତା, ଗଳ୍ପ, ଉପନ୍ୟାସ, ନାଟକ ଏବଂ ପ୍ରବନ୍ଧ ଇତ୍ୟାଦି ସବୁ ସାହିତ୍ୟର ଅନ୍ତର୍ଭୁକ୍ତ। ଏହାସବୁ ହେଲା ଆମ ସଂସ୍କୃତିର ଅନ୍ତରଙ୍ଗ ବିଭବ। ଅନ୍ତରଙ୍ଗ ବିଭବଗୁଡ଼ିକ ସହିତ ଅନ୍ତରଙ୍ଗତା ସ୍ଥାପନ ପୂର୍ବକ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଜାତି ବିଶ୍ୱରେ ସୁସଭ୍ୟ ଓ ସଂସ୍କୃତିସମ୍ପନ୍ନ ଜାତିଭାବରେ ସୁପରିଚିତ। ସେଥିପାଇଁ ଆମ ଜୀବନଚର୍ଯ୍ୟା ସରସ, ସୁନ୍ଦର ଓ ସମୃଦ୍ଧ ହୋଇପାରିଛି। ଜାତୀୟ ଅଥବା ପ୍ରାଦେଶିକ ସ୍ତରରେ ଏହି ଅନ୍ତରଙ୍ଗ ବିଭବଗୁଡିକ ଗୋଟିଏ ନିର୍ଦ୍ଦିଷ୍ଟ ଶୃଙ୍ଖଳା ଅଥବା ପ୍ରଣାଳୀରେ ପରିଚାଳିତ, ଯାହା ଅନୁପ୍ରବେଶିତ ଭଲକୁ ଗ୍ରହଣ କରିବା ସହିତ ଭେଲକୁ ପ୍ରତ୍ୟାଖ୍ୟାନ କରିଥାଏ। ଏହି ଶକ୍ତିରୁ ଜୀବନର ଉନ୍ନତ ଗତିଶୀଳତା ସମ୍ପର୍କରେ ସୂଚନା ମିଳିଥାଏ। ଯେତେବେଳେ ଏହି ଶକ୍ତି ଲୋପପାଏ, ସେତେବେଳେ ସଂସ୍କୃତି ପତନମୁଖୀ ହୁଏ ଅଥବା ଲୋପପାଇ ଯିବାର ସମ୍ଭାବନା ସୃଷ୍ଟି ହୁଏ। ଏଇ ଯେମିତି ପ୍ରାଚୀନ ଗ୍ରୀସ୍‌, ରୋମ, ଇଟାଲୀର ଉନ୍ନତ ସଂସ୍କୃତି ଚିରକାଳ ପାଇଁ ଲୋପ ପାଇଗଲା। ଏବେ ସେମାନେ ପୃଥିବୀବାସୀଙ୍କ ସାମ୍ନାରେ ନିଜ ଜାତିକୁ ଚିହ୍ନାଇବାର ସ୍ବତନ୍ତ୍ରତା ତାଙ୍କ ପାଖରେ ଆଉ କିଛି ନାହିଁ। ଅର୍ଥାତ୍‌ ସଂସ୍କୃତି ସହିତ ସେ ଦେଶମାନଙ୍କର ଜାତୀୟତାର ମୃତ୍ୟୁ ଘଟେ, ଯଦିବା ସେଠାକାର ନାଗରିକମାନେ ଜୀବିତ ଥାଆନ୍ତି।
ଗୋଟିଏ କୌତୂହଳର ଘଟଣା। ଭାରତୀୟମାନେ ପୃଥିବୀର ଯେକୌଣସି ଦେଶକୁ ଗଲେ ସେମାନେ ସେଠାକାର ନାଗରିକମାନଙ୍କର ସନ୍ଦେହର ବଳୟ ଭିତରକୁ ଆସନ୍ତି ନାହିଁ। କାରଣ ପୃଥିବୀବାସୀ ଜାଣିଛନ୍ତି ଭାରତୀୟମାନେ ଅଯଥାରେ କଳହ କରନ୍ତି ନାହିଁ, ସେମାନେ ଶାନ୍ତିପ୍ରିୟ, ସହନଶୀଳ ଏବଂ ଧୈର୍ଯ୍ୟବାନ୍‌ ତଥା ସହାନୁଭୂତିଶୀଳ। ସଂସ୍କୃତି ମାଧ୍ୟମରେ ଜାତିର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରାଯାଏ। ସଂସ୍କୃତିରୁ ପରମ୍ପରା ସୃଷ୍ଟି। ସଂସ୍କୃତିର କୌଣସି ଏକ ଅଙ୍ଗ, ଉଚ୍ଚାଦର୍ଶ ଅଥବା ପର୍ବପର୍ବାଣି ପିଢ଼ି ପରେ ପିଢ଼ି ଆମେ ମାନି କରି ଚାଲିଲେ ଅଥବା ପାଳନ କରି ଚାଲିଲେ ତାହା ଆମର ପରମ୍ପରାରେ ପରିଣତ ହୁଏ। ଉଦାହରଣ ସ୍ବରୂପ ଓଡ଼ିଆମାନଙ୍କର କାବି୍ୟକ ପୂର୍ଣ୍ଣମୀରେ ଡଙ୍ଗାଭସା, ଖୁଦୁରୁକୁଣୀ ପର୍ବ ଏବଂ ରଜ ଉତ୍ସବ ପାଳନ ଏହା ଆମର ପରମ୍ପରାରେ ପରିଣତ ହୋଇଯାଇଛି। ଏହା ଭାରତବର୍ଷରେ ଅନ୍ୟତ୍ର ପାଳିତ ହୁଏ ନାହିଁ। ଏହା ଆମର ଅଦ୍ୱିତୀୟ ପରମ୍ପରା। ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ସମ୍ୟକ ସୂଚନା ଦେବାପରେ ଏବେ ମହାଭାରତୀୟ ସଂସ୍କୃତି ଉପରେ ଅଳ୍ପ କିଛି ନ ଲେଖିଲେ ଲେଖାଟି କାହିଁକି ଅଧାଗଢ଼ା ମନ୍ଦିରଟିଏ ଭଳି ମନେହୁଏ, ଯେଉଁଠି ଦେବ ବିଗ୍ରହ ପ୍ରତିଷ୍ଠା ଅସମୀଚୀନ ଲାଗେ।
ପ୍ରାୟ ଚାରି ହଜାର ବର୍ଷ ପୂର୍ବେ ଭାରତୀୟ ମୁନି ଋଷିଗଣ ବୈଦିକ ସଂସ୍କୃତିକୁ ନେଇ ଯେଉଁ ଉଚ୍ଚାଙ୍ଗ ସ୍ତରରେ ପହଞ୍ଚାଇଥିଲେ, ବିଶ୍ୱ ଇତିହାସରେ ସେପରି ଚେତନାସମୃଦ୍ଧ, ଜ୍ଞାନଗର୍ଭକ ସଂସ୍କୃତି ଅନ୍ୟତ୍ର ଦେଖିବାକୁ ମିଳେନାହିଁ। ବେଦ, ଉପନିଷଦ ଭାରତୀୟ ସଂସ୍କୃତିର ମୂଳାଧାର । ରାମାୟଣ, ମହାଭାରତ (ପଞ୍ଚମ ବେଦ) ଭଳି ମହାକାବ୍ୟମାନ ବିଶ୍ୱ ଇତିହାସରେ ବିରଳ। ଆମ ଆଦ୍ୟଜ ତଥା ପୂର୍ବଜମାନଙ୍କର ଉଚ୍ଚତମ ଅଧ୍ୟାତ୍ମିକ ଚେତନା, ସେମାନଙ୍କର ତପସିଦ୍ଧ ଅଫୁରନ୍ତ ପ୍ରାଣଶକ୍ତି ତଥା ଜୀବନ ଓ ପ୍ରକୃତିକୁ ପ୍ରାଣଭରି ଭଲପାଇବା, ଜାଣିବାର ଅଦମ୍ୟ ପିପାସା, କାଳଜୟୀ ଚିନ୍ତନ, ସାହିତ୍ୟ, କଳା-ସ୍ଥାପତ୍ୟ-ଭାସ୍କର୍ଯ୍ୟ, ସେମାନଙ୍କର ଦୁର୍ବାର ଦୁଃସାହସିକତା, ସ୍ବାଧୀନ ଜୀବନଯାପନ କରିବାରେ ସେମାନଙ୍କର ଆଗ୍ରହ, ସତ୍ୟ ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ଅନୁରାଗ, ମୌଳିକ ମୂଲ୍ୟବୋଧ ଉପରେ ଆସ୍ଥା, ଜୀବନର ନାନାବିଧ ରହସ୍ୟ ଭେଦ କରିବାରେ ସେମାନଙ୍କର ଚାତୁର୍ଯ୍ୟ, ଭିନ୍ନମତ ପ୍ରତି ସହନଶୀଳତା, ଆବଶ୍ୟକ ସ୍ଥଳେ ଅନ୍ୟ ଏକ ଗୋଷ୍ଠୀର ଆନୁଷ୍ଠାନିକ କର୍ମଧାରାକୁ ଯଥାସମ୍ଭବ ନିଜ ସହିତ ଏକୀଭୂତ କରିନେବାର ମାନସିକତା, ସେମାନଙ୍କର ଅଜସ୍ର ଅଭିଜ୍ଞତାର ଫଳ ଭାରତୀୟମାନଙ୍କୁ ପରିପୁଷ୍ଟ କରିଥିଲା, ଯାହା ଆମ୍ଭପାଇଁ କାଳକାଳକୁ ଅବିସ୍ମରଣୀୟ ହୋଇ ରହିବ। କାରଣ ତାହାହିଁ ଆମର ମୂଳଦୁଆ, ଐତିହ୍ୟ ଏବଂ ସାମର୍ଥ୍ୟବୋଧର ମୌଳିକ ଉପାଦାନ।
ବେଦ ଓ ଉପନିଷଦ ସର୍ବଦା ମାନବବାଦର ଯଶଗାନ କରେ। ମନୁଷ୍ୟ ଜାତି ଭିତରେ ଭ୍ରାତୃଭାବର ଉଦ୍ରେକ, ଦୈବୀ ଦୁର୍ବିପାକରେ ପରସ୍ପରକୁ ସାହାଯ୍ୟ ପ୍ରଦାନ ଏବଂ ସମସ୍ତଙ୍କର ସୁଖ-ସମୃଦ୍ଧି ଓ ସମସ୍ତେ ସୁସ୍ଥ-ସବଳ ରହିବାର କାମନା ଭଳି ‘ସର୍ବଜନ ହିତାୟ’ ଉନ୍ନତ ଚିନ୍ତନ କେବଳ ଭାରତୀୟ ସଂସ୍କୃତି ବ୍ୟତୀତ ଅନ୍ୟ କୌଣସି ସଂସ୍କୃତିରେ ଦୃଷ୍ଟିଗୋଚର ହୁଏନାହିଁ।
ମହାନଦୀ ବିହାର, କଟକ
ମୋ: ୯୮୬୧୧୪୦୧୬୯


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri