ସାହିତ୍ୟ କୃତି ଓ ସ୍ରଷ୍ଟାର ବ୍ୟକ୍ତିତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଆଦର୍ଶବୋଧର କଥା କହୁଥିବା କବି ବା ଲେଖକ ଅନେକ ସମୟରେ ସେହି ଆଦର୍ଶର ବିପରୀତ କର୍ମ କରୁଥିବାର ଦେଖାଯାଏ। ଯେତେବେଳେ ସେହିଭଳି ଲେଖକ ବା କବି କୌଣସି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ବା ପୁରସ୍କୃତ ହୁଅନ୍ତି, ପାଠକମାନେ ଭ୍ରୂକୁଞ୍ଚନ କରିବା ସ୍ବାଭାବିକ। ଆମେ ଆଶା କରୁ ଯିଏ ଯେଉଁ ଆଦର୍ଶର କଥା କହୁଛନ୍ତି, ସେ ସେହି ଆଦର୍ଶର ନମୁନା ସାଜନ୍ତୁ। ମାତ୍ର ଏହା ସବୁବେଳେ ସମ୍ଭବ ହୁଏନାହିଁ। କୌଣସି ମଣିଷ ସମ୍ପୂର୍ଣ୍ଣ ଦୋଷଶୂନ୍ୟତା ବା ସର୍ବଶ୍ରେଷ୍ଠତାର ଉଦାହରଣ ହେବା ଅସମ୍ଭବ। ମଣିଷ ଉଭୟ ସୁଗୁଣ ଓ ଦୁର୍ଗୁଣର ଏକ ସମଷ୍ଟି। ଏଣୁ ଯେତେବେଳେ ଯଦି ଜଣେ କବି ବା ଲେଖକ ପୁରସ୍କୃତ ବା ସମ୍ବର୍ଦ୍ଧିତ ହୁଏ, ତା’ର ସମଗ୍ର ବ୍ୟକ୍ତିସତ୍ତା ତାକୁ ଆତ୍ମସାତ୍‌ କରିବାର ଯୋଗ୍ୟ ନୁହେଁ। ୨୦୦୭ରେ ବିଶିଷ୍ଟ ଲେଖକ ମନୋଜ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଫେଲୋଶିପ୍‌’ ଗ୍ରହଣ କଲାବେଳେ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ଯାଇ ଇଂଲିଶ୍‌ ଲେଖକ ଜେମ୍‌ସ ଜୋୟେସ୍‌ଙ୍କ ଉଦାହରଣ ଦେଇଥିଲେ। ଥରେ ଏକ ସମାବେଶରେ ଜେମ୍‌ସ ଜୋୟେସ୍‌ଙ୍କ ପାଖକୁ ଉଠି ଆସି ଜଣେ ଭଦ୍ର ମହିଳା ନମ୍ର ଭାବରେ କହିଲେ, ”ହେ ମୋର ପ୍ରିୟ ଲେଖକ! ତୁମେ ଯେଉଁ ହାତରେ ୟୁଲିସସ୍‌ ଲେଖିଛ, ସେ ହାତରେ ମୁଁ ଥରଟିଏ ଚୁମ୍ବନ ଦେଇପାରେ!“ ଆହୁରି ନମ୍ର ଭାବରେ ଜେମ୍‌ସ ଜୋୟେସ୍‌ ଉତ୍ତର ଦେଲେ, ”ମାଡାମ୍‌, ଏହି ହାତରେ ମୁଁ ଅନ୍ୟାନ୍ୟ କାମ ବି କରିଛି।“ ଏ କଥାର ତାତ୍ପର୍ଯ୍ୟ ହେଉଛି ଯେତେବେଳେ ଆମେ କୌଣସି ଲେଖକକୁ ପୁରସ୍କୃତ ବା ସମ୍ବର୍ଦ୍ଧିତ କରୁ, ତା’ର ସମଗ୍ର ବ୍ୟକ୍ତିସତ୍ତାକୁ ଆମେ ସମ୍ମାନ ଜଣାଉନାହିଁ, ତା’ର ଏକ ବିଶେଷ ଗୁଣ ବା ଦିଗ ପ୍ରତି ସମ୍ମାନ ଜଣାଉ। ଲେଖକ ଭାବିବା ଉଚିତ ନୁହେଁ ଯେ, ସେହି ପୁରସ୍କାର ବା ସମ୍ବର୍ଦ୍ଧନା ଗୋଟାପଣେ ତା’ର ପ୍ରାପ୍ୟ। ମନୋଜ ଦାସଙ୍କ ଭାଷାରେ, ”ବ୍ୟକ୍ତିଗତ ଭାବରେ ଜଣେ ଲେଖକଙ୍କୁ ସ୍ବୀକୃତି ବା ସମ୍ବର୍ଦ୍ଧନା ଦେବାବେଳେ ଆମେ ଏକ ପରମ୍ପରାକୁ ସ୍ବୀକୃତି ଦେଇଥାଉ। ଆମେ ଯଦି ବୈଦେହୀଶ ବିଳାସର କବିଙ୍କୁ ସ୍ବୀକୃତି ଦେବୁ, ବଳେ ବଳେ ତାହା ହେବ ରାମ-ସାହିତ୍ୟ ବା ବାଲ୍ମୀକି ସୃଷ୍ଟ ପରମ୍ପରାର ପ୍ରାପ୍ୟ। ବ୍ୟାସ ବିନା ଫକୀରମୋହନ ବ୍ୟାସକବି ହୋଇପାରି ନ ଥା’ନ୍ତେ। ଭାଗବତ ପରବର୍ତ୍ତୀ ବୈଷ୍ଣବ ସାହିତ୍ୟ ବିନା ବିଦଗ୍ଧ କବି ଶ୍ରୀ ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ ଅଥବା ସାର୍ଥକ ସାହିତି୍ୟକ ମହାପାତ୍ର ନୀଳମଣି ସାହୁଙ୍କ ‘ତାମସୀ ରାଧା’ ସମ୍ଭବ ହୋଇ ନ ଥା’ନ୍ତା। ସାହିତ୍ୟ ଏକ ଅବିଚ୍ଛିନ୍ନ ଧାରା। ଆମେ କୌଣସି ଲେଖକକୁ ପୁରସ୍କାର ଦେବାବେଳେ ସେହି ଧାରାକୁ ହିଁ ସ୍ବୀକୃତି ଦେଇଥାଉ।“
ଏଲିଜାବେଥ୍‌ ଯୁଗରେ ଫ୍ରାନ୍‌ସିସ୍‌ ବେକନ୍‌ ଥିଲେ ଜଣେ ପ୍ରତିଷ୍ଠିତ ପ୍ରାବନ୍ଧିକ। ଇଂଲିଶ୍‌ ସାହିତ୍ୟରେ ତାଙ୍କୁ ପ୍ରବନ୍ଧର ପିତା ଭାବରେ ଗ୍ରହଣ କରାଯାଇଛି। ସେ ସାଂସାରିକ ଜୀବନର ବିଭିନ୍ନ ଦିଗ ଯଥା ସତ୍ୟ, ବିବାହ, ବନ୍ଧୁତା, ଅଧ୍ୟୟନ, ପ୍ରତିହିଂସା, ପ୍ରେମ, ସାଧୁତା, ଭ୍ରମଣ, ସମ୍ପଦ, ଉଚ୍ଚାକାଂକ୍ଷା, ଛଳନା ଆଦି ବିଷୟବସ୍ତୁକୁ ନେଇ ଲେଖିଛନ୍ତି ଅନେକ କାଳଜୟୀ ପ୍ରବନ୍ଧ। ଅତି ସଂକ୍ଷିପ୍ତ ଭାବରେ ଏକ ପ୍ରବଚନୀୟ ଶୈଳୀରେ ସେ ନିଜ ଧାରଣାଗୁଡ଼ିକୁ ଆକର୍ଷଣୀୟ ଭାବରେ ପ୍ରବନ୍ଧଗୁଡ଼ିକରେ ପ୍ରକାଶ କରିଛନ୍ତି। ତାଙ୍କ ପ୍ରବନ୍ଧଗୁଡ଼ିକ ଏତେ ତଥ୍ୟପୂର୍ଣ୍ଣ ଓ ସାମାଜିକ ଜୀବନରେ ଏତେ ଉପାଦେୟ ଯେ ସେଗୁଡ଼ିକୁ କୁହାଯାଏ ବାସ୍ତବ ଜ୍ଞାନର ଏକ ଦରକାରୀ ପୁସ୍ତିକା। ଇଂଲିଶ୍‌ ପ୍ରବନ୍ଧ ସାହିତ୍ୟକୁ ତାଙ୍କର ଦାନ ଅତୁଳନୀୟ। ସେ ହିଁ ଇଂଲିଶ୍‌ ପ୍ରବନ୍ଧ ସାହିତ୍ୟରେ ଏକ ନୂଆ ଧାରାର ପ୍ରବର୍ତ୍ତକ। ମାତ୍ର ତାଙ୍କର ପ୍ରବନ୍ଧଗୁଡ଼ିକରେ ସେ ଯେଉଁ ମୂଲ୍ୟବୋଧର କଥା କହିଛନ୍ତି, ବ୍ୟକ୍ତିଗତ ଜୀବନରେ ସେ ତା’ଠୁ ବହୁ ଦୂରରେ। ସେ ଥିଲେ ପ୍ରଚଣ୍ଡ ଜ୍ଞାନୀ, ମାତ୍ର ନୈତିକତା ଦୃଷ୍ଟିରୁ ତାଙ୍କ ଚରିତ୍ରରେ ଦେଖିବାକୁ ମିଳେ ଅନେକ ସ୍ଖଳନ। ଲୋଭ, ଅନୈତିକ ଆଚରଣ, ଅସାଧୁତା, ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନ ଭଳି ଅନେକ ଦୁର୍ଗୁଣର ସେ ଅଧିକାରୀ ଥିଲେ। ତେଣୁ ବିଶିଷ୍ଟ କବି ଆଲେକ୍‌ଜାଣ୍ଡାର ପୋପ୍‌ ତାଙ୍କୁ ଜ୍ଞାନୀ ଶ୍ରେଷ୍ଠ, ଉଜ୍ଜ୍ୱଳତମ ଓ ନିକୃଷ୍ଣତମ ବ୍ୟକ୍ତ ବୋଲି କହିଛନ୍ତି। ତାଙ୍କ ପ୍ରବନ୍ଧ ‘ଅପ୍‌ ଜୁଡିକେଚର’ରେ ସେ ଲେଖିଛନ୍ତି, ସର୍ବୋପରି ସାଧୁତା ହେଉଛି ବିଚାରକମାନଙ୍କ ସୁଗୁଣ ମାତ୍ର ସେ ବିଚାରକ ଥିବାବେଳେ ଲାଞ୍ଚ ନେଉଥିତ୍ବାର ମଧ୍ୟ ଜଣାଯାଏ। ଫ୍ରାନ୍‌ସିସ୍‌ ବେକନ୍‌ଙ୍କ ବ୍ୟକ୍ତିତ୍ୱ ଥିଲା ଦ୍ୱିଧା ବିଭକ୍ତ ବ୍ୟକ୍ତିତ୍ୱ। ଗୋଟିଏ ପଟେ ସେ ଥିଲେ ଅସାଧାରଣ ଜ୍ଞାନୀ ଓ ଅନ୍ୟପଟେ ଥିଲେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ମାତ୍ର ଯେତେବେଳେ ଆମେ ଇଂଲିଶ୍‌ ସାହିତ୍ୟରେ ପ୍ରବନ୍ଧର ପ୍ରାରମ୍ଭ ଓ ବିକାଶ ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ଆମେ ତାଙ୍କର ସୃଜନଶୀଳ ପ୍ରତିଭାକୁ ସମ୍ମାନିତ କରୁ।
ରୁଷିଆର ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଲିଓ ଟଲ୍‌ଷ୍ଟୟ ଥିଲେ ସମ୍ଭ୍ରାନ୍ତବଂଶଜ। କିଶୋର ସମୟରେ ସେ ବିଶୃଙ୍ଖଳିତ ଜୀବନଯାପନ କରୁଥିଲେ। ଅସଂଖ୍ୟ କୃଷକ କନ୍ୟାମାନଙ୍କ ସହ ସେ କାମାସକ୍ତ ଜୀବନ ବିତାଉଥିଲେ। ସେ ପଶାଖେଳ, ମଦ୍ୟ ଓ ମୈଥୁନରେ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ। ତାଙ୍କର ଥିଲା ଏକ କୃଷି ଫାର୍ମ। ଫାର୍ମର ମହିଳା ଗୋତି ଶ୍ରମିକମାନଙ୍କୁ ଯୌନଶୋଷଣ କରିବା ଥିଲା ତାଙ୍କର ଅଭ୍ୟାସ। ତା’ ସତ୍ତ୍ୱେ ତାଙ୍କର ସର୍ଜନଶୀଳ ପ୍ରତିଭା ଦ୍ୱାରା ଆକର୍ଷିତ ହୋଇ ଆଭିଜାତ୍ୟସମ୍ପନ୍ନା ରୂପସୀ ଉଚ୍ଚଶିକ୍ଷିତା ସୋଫିଆ ତାଙ୍କୁ ବିବାହ କରିଥିଲେ। ସେ ନିଜେ ଟଲ୍‌ଷ୍ଟୟଙ୍କ ବିଶାଳ ଉପନ୍ୟାସ ‘ଓ୍ବାର୍‌ ଆଣ୍ଡ ପିସ୍‌’ର ପାଣ୍ଡୁଲିପି ନିଜ ହାତରେ ଲେଖିଥିଲେ। ଏହି ଉପନ୍ୟାସ ତାଙ୍କ ପାଇଁ ବିଶ୍ୱବ୍ୟାପୀ ଖ୍ୟାତି ଆଣିଦେଇଥିଲା। ପରବର୍ତ୍ତୀ ସମୟରେ ଆନା କାରେନିନା, ‘ଡେଥ୍‌ ଅଫ୍‌ ଇଭାନ ଇଲିଚ୍‌’ ଓ ଆହୁରି ଅନେକ କୃତି ରଚନା କରି ସାହିତ୍ୟ କ୍ଷେତ୍ରରେ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ। ଯେତେବେଳେ ସେ ରୁଷିଆର ଜାର୍‌ଙ୍କ ଦ୍ୱାରା ଗଠିତ ଏକ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କଲାବେଳେ ଜାଣିଲେ ଯେ ତଳସ୍ତରର କୃଷକ, ଶ୍ରମିକ ଓ ଦିନମଜୁରିଆ ଦୟନୀୟ ଜୀବନଯାପନ କରୁଛନ୍ତି, ଖାଇବାକୁ ପାଉନାହାନ୍ତି, ପିନ୍ଧିବାକୁ କନା ନାହିଁ, ରହିବା ପାଇଁ କୁଡ଼ିଆ ନାହିଁ, ସେ ବିଚଳିତ ହୋଇପଡ଼ିଲେ। ହଠାତ୍‌ ତାଙ୍କର ଏକ ପରିବର୍ତ୍ତନ ହୋଇଗଲା। ସେ ତାଙ୍କର ସମସ୍ତ ସମ୍ପଦ ସୋଫିଆଙ୍କୁ ହସ୍ତାନ୍ତର କରିଦେଲେ ଓ ସାଧାରଣ ଭାବେ ଜୀବନଯାପନ କଲେ। ମଦ୍ୟ ମାଂସ ପରିତ୍ୟାଗ କଲେ। ଚାଷୀଙ୍କ ପୋଷାକ ପିନ୍ଧିଲେ, କାଠ କାଟିଲେ, ପାଣି ବୋହିଲେ, ଜୋତା ତିଆରି କଲେ। ଶେଷରେ ସେ ବନିଗଲେ ଜଣେ ଆଦର୍ଶ ମଣିଷ। ହୋଇପାରେ ଜଣେ ବିଭାଜିତ ବ୍ୟକ୍ତିତ୍ୱର ଅଧିକାରୀ, ମାତ୍ର ବେଳେବେଳେ ଗୋଟିଏ ମୁହୂର୍ତ୍ତର ଅନୁଭବ ସମଗ୍ର ଜୀବନଧାରାକୁ ଏକ ଭିନ୍ନ ମୋଡ଼ ଦେଇପାରେ। ଠିକ୍‌ ସେଭଳି ଘଟିଥିଲା ଟଲ୍‌ଷ୍ଟୟଙ୍କ ଜୀବନରେ। ଯେତେବେଳେ ପାଠକ ତାଙ୍କର ସାହିତ୍ୟ କୃତି ପଢ଼ି ଅଭିଭୂତ ଓ ଆନନ୍ଦିତ ହୁଏ, ସେତେବେଳେ ସେ ତାଙ୍କ ବ୍ୟକ୍ତିଗତ ଜୀବନଚର୍ଯ୍ୟା ବିଷୟରେ ସଚେତନ ନ ଥାଏ। ଟଲ୍‌ଷ୍ଟୟଙ୍କ ସୃଜନଶୀଳ ପ୍ରତିଭା ହିଁ ପାଠକଙ୍କୁ ପ୍ରଭାବିତ ଓ ଉଦ୍‌ବୁଦ୍ଧ କରେ।
ଓଡ଼ିଆ ସାହିତ୍ୟରେ ମଧ୍ୟ ଔପନ୍ୟାସିକ ଓ କବି ଫକୀରମୋହନ ଜଣେ ବିବଦମାନ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ଚାକିରି ଜୀବନ ମୁଖ୍ୟତଃ ଅତିବାହିତ ହୋଇଥିଲା ଗଡ଼ଜାତ ଅଞ୍ଚଳରେ। ସେ କେତେବେଳେ ଦଓ୍ବୋନ୍‌ ତ ଆଉ କେତେବେଳେ ମ୍ୟାନେଜର ପଦରେ ନୀଳଗିରି, ଡମପଡ଼ା, ଢେଙ୍କାନାଳ, ଦଶପଲ୍ଲା, ପାଲଲହଡ଼ା ଓ କେନ୍ଦୁଝରରେ ଅବସ୍ଥାପିତ ଥିଲେ। କେଉଁଠାରେ ପ୍ରଜାମାନେ ବିଦ୍ରୋହ କରୁଥିଲେ ତ ଆଉ କେଉଁଠାରେ ସେ ରାଜା ବା ଇଂରେଜ ସରକାରଙ୍କ ଅପ୍ରିୟ ହେଉଥିଲେ। ଅନେକ ସମାଲୋଚକ ତାଙ୍କୁ କୁଚକ୍ରୀ, ଧୂର୍ତ୍ତ, ପ୍ରବଞ୍ଚକ, ମିଥ୍ୟାବାଦୀ ଓ ମେଳିର ଖଳନାୟକ ଭାବରେ ବର୍ଣ୍ଣନା କରିଛନ୍ତି। ସେମାନେ କହିଛନ୍ତି- ତାଙ୍କ ଆତ୍ମଜୀବନ ଚରିତ ପ୍ରମାଦଯୁକ୍ତ, ତଥ୍ୟବିହୀନ, ମିଥ୍ୟାଭିତ୍ତିକ ଓ କଳ୍ପନାପ୍ରସୂତ। ତା’ସତ୍ତ୍ୱେ ତାଙ୍କର ଉପନ୍ୟାସ ଛ’ମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ୍ତ ଓ ଗଳ୍ପସମୂହ କାଳଜୟୀ ସୃଷ୍ଟି ଭାବରେ ଗୃହୀତ ହୋଇଛି। ତାଙ୍କର ସାହିତ୍ୟକୃତି ଅସଂଖ୍ୟ ପାଠକମାନଙ୍କ ହୃଦୟକୁ ଜିଣିଛି ଓ ଆମେ ତାଙ୍କୁ ଆଜି ଆଧୁନିକ ଯୁଗର ପ୍ରବର୍ତ୍ତକ ଭାବରେ ସ୍ବୀକୃତି ଦେଇଛୁ। ମଣିଷ ଏକାସଙ୍ଗେ ମନ୍ଦ ଓ ମହତ୍‌ ହୋଇପାରେ। ଏହା ସମ୍ଭବ। ବେଳେବେଳେ ସେ ପାରିପାର୍ଶ୍ୱିକ ଅବସ୍ଥା, ନିଜର ପ୍ରାକୃତିକ ଦୁର୍ବଳତା ବା ଅଜ୍ଞାନତା ପାଖରେ ଅସହାୟ ମଣେ। ତଥାପି ସେ ସତ୍ୟର ସନ୍ଧାନ ପାଇ ମଧ୍ୟ ବ୍ୟାକୁଳ ହୋଇପାରେ। ସେହି ସତ୍ୟର ସନ୍ଧାନ ମଧ୍ୟରୁ ହିଁ ସାହିତ୍ୟର ସୃଷ୍ଟି। ଏଣୁ ପାଠକର ସମ୍ପର୍କ ଲେଖକର ବ୍ୟକ୍ତିଗତ ଜୀବନ ସହ ନୁହେଁ, ତା’ର ସମ୍ପର୍କ ଲେଖକର ସୃଷ୍ଟି ସହ। ଏଣୁ ବିଶିଷ୍ଟ ଔପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଲେଖିଛନ୍ତି, ”ଲେଖକର ବ୍ୟକ୍ତିଗତ ଜୀବନ ନେଇ ଏତେ ବ୍ୟସ୍ତ ହେବାର କି ପ୍ରୟୋଜନ? କିନ୍ତୁ ଲେଖକ ବୋଲି କ’ଣ ତାଙ୍କୁ ନିଜ ଜୀବନର ସବୁ କଥା ସମସ୍ତଙ୍କୁ କହିବାକୁ ହେବ ଏହାର କି ମାନେ ଅଛି? ତା’ର ଲେଖା ମାଧ୍ୟମରେ ତା’ର ଯେତିକିଟା ପରିଚୟ ମିଳିଥାଏ, ସେତିକିକୁ ନେଇ ସନ୍ତୁଷ୍ଟ ରହିବା ଉଚିତ। ସେଇଟା ହିଁ ଲେଖକର ସତ୍ୟ ପରିଚୟ। ସେଥିପାଇଁ ମୁଁ କହେ, ଲେଖକର ବ୍ୟକ୍ତିଗତ ଜୀବନ ଓ ତା’ର ଲେଖକ ଜୀବନ ଏକ ନୁହେଁ। କୌଣସି କାରଣରୁ ହିଁ ଏହି ଦୁଇଟାକୁ ମିଳେଇବା ଉଚିତ ନୁହେଁ। ମୋ ଲେଖାରେ ଯେତିକିଟା ମୁଁ ନିଜକୁ ବ୍ୟକ୍ତ କରିଛି, ମୋର ପରିଚୟ ପାଠକମାନଙ୍କ ପାଇଁ ସେତିକି ଯଥେଷ୍ଟ।“ ମାନବ ମାତ୍ରକେ ଦୋଷ ଦୁର୍ଗୁଣଯୁକ୍ତ। ନିରବଚ୍ଛିନ୍ନ ସଦ୍‌ଗୁଣ ବା ନିରବଚ୍ଛିନ୍ନ ଦୁର୍ଗୁଣଯୁକ୍ତ ମାନବ ଜଗତରେ ଦୁର୍ଲଭ। ଏଣୁ ଆମେ କୌଣସି ଲେଖକ ବା କବିଙ୍କୁ ସମ୍ବର୍ଦ୍ଧନା ବା ପୁରସ୍କାର ଦେବାବେଳେ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ସମ୍ମାନ ଦେଇ ନ ଥାଉ, ସମ୍ମାନ ଦେଇଥାଉ ତାଙ୍କର ସୃଜନଶୀଳ ଦିଗକୁ। ତା’ ସତ୍ତ୍ୱେ ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ଉଭୟ ବ୍ୟକ୍ତିଜୀବନ ଓ ସାହିତି୍ୟକ ଜୀବନରେ ଶୁଦ୍ଧତା ରହିଲେ ତାହା ଜନସମାଜ ପାଇଁ ବେଶି ପ୍ରଭାବଶାଳୀ ଓ ପ୍ରେରଣାଦାୟୀ ହୁଏ। ସମାଜ ପାଇଁ ଏହା ହିଁ ସ୍ପୃହଣୀୟ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ
ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri