ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି । ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରଗଡ଼ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚିଠା ଭୋଟର ତାଲିକା ଉନ୍ମୋଚନ କରିଥିଲେ । ଏହା ସହିତ ଏହାକୁ ସେ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିଷୟରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସବିଶେଷ ସୂଚନା ପ୍ରଦାନ କରି ଅବଗତ କରାଇଥିଲେ। ସାଧାରଣ ଜନସାଧାରଣଙ୍କ ପାଇଁ ଦାବି ଓ ଆପତ୍ତି ଦାଖଲ କରିବାର ସମୟସୀମା ରବିବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ଅଗଷ୍ଟ ମାସ ୪ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲାପାଳ ଗୋୟଲ ସୂଚନା ଦେଇଥିଲେ ।
ଏହି ଚିଠା ପ୍ରକାଶନ ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ମଧୁଛନ୍ଦା ସାହୁ, ବରଗଡ଼ ଉପ ଜିଲାପାଳ ପ୍ରସନ୍ନ ପାଣ୍ଡେ ଏବଂ ପଦ୍ମପୁର ଉପ ଜିଲାପାଳ ହେମସାଗର ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ଏଚଆରଏମଏସ ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏହି ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ ।
ତଥ୍ଯ ଅନୁସାରେ ବରଗଡ଼ ଜିଲାର ସମୁଦାୟ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୧ଲକ୍ଷ ୮୧ହଜାର ୨୮୧ ଥିଲା। ଏହି ସମସ୍ତ ଭୋଟରଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ପଞ୍ଜୀକରଣ ଫର୍ମ ବଣ୍ଟନ ଶେଷ ହୋଇଥିବା ବେଳେ ସେଥିମଧ୍ୟରୁ ୯୩.୭୦ ପ୍ରତିଶତ ଅର୍ଥାତ୍ ୧୧ଲକ୍ଷ ୬ହଜାର ୮୭୬ର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚିଠା ପ୍ରସ୍ତୁତ ହୋଇଛି । ବୈଠକରେ ସୂଚନା ଦିଆଯାଇଛି ଯେ, ଏହି ସ୍ୱତନ୍ତ୍ର ସଂଶୋଧନ ଅବଧି ମଧ୍ୟରେ ସମସ୍ତ ଯୋଗ୍ୟ ନୂତନ ଭୋଟରଙ୍କ ନାମ ସାମିଲ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ତାଲିକାରେ ଥିବା ଯେକୌଣସି ତୃଟିର ସଂଶୋଧନ କରାଯାଇଛି। ପ୍ରକାଶିତ ଚିଠା ଭୋଟର ତାଲିକାକୁ ନେଇ କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ, ଜନସାଧାରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୃକ୍ତ ଫର୍ମ ଜରିଆରେ ଆବେଦନ କରିପାରିବେ ବୋଲି ଜିଲା ନିର୍ବାଚନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।