ନିଶ୍ଚିହ୍ନ ହେବାକୁ ବସିଛି ଲିଙ୍ଗରାଜଙ୍କ କୁଡୁଆ ସମ୍ପତ୍ତିି

ପୁରୁଣା ଭୁବନେଶ୍ୱର,୧୦ା୫(ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଜାନିଯାତ୍ରାରେ ନୀତିକାନ୍ତି ପାଇଁ ଛତିଶାନିଯୋଗ ନିୟୋଜିତ ରହିଛନ୍ତି। ସମସ୍ତ ସେବା ପାଇଁ ସେବାୟତଙ୍କୁ ଜମି ଖଞ୍ଜାପଡ଼ା ରହିଛି। ସେହପରି କୁମ୍ଭକାର ସେବାୟତଙ୍କୁ ମଧ୍ୟ ଜମି ଖଞ୍ଜାପେଡ଼ା ରହିଛି। ତେବେ ମନ୍ଦିର ପ୍ରଶାସନ ମାର୍ଫତରେ ବିଭିନ୍ନ ଅଞ୍ଚଳରେ ଥିବା ଶହ ଶହ ଏକର ଜମି ବିକ୍ରି ଚାଲିଛି। ଏହି ପରିପ୍ରେକ୍ଷୀରେ କୁମ୍ଭକାର ସେବାୟତଙ୍କ ପାଇଁ ଯୋଗାଇ ଦିଆଯାଇଥିବା କୁଡୁଆ ସମ୍ପତ୍ତି ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଲାଣି।
ମୁତାବକ, ଠାକୁରଙ୍କ ବିଭିନ୍ନ ଜାନିଯାତ୍ରା ପାଇଁ ଏବଂ ପ୍ରତ୍ୟହ ଶଙ୍ଖୁଡ଼ି ଭୋଗପାଇଁ ମାଟି କୁଡୁଆ, ହାଣ୍ଡି, ସରା, ପଲମ ବ୍ୟବହାର ହୋଇଥାଏ। ଏଥିପାଇଁ କୁମ୍ଭାର ସେବାୟତ ନିୟୋଜିତ ଅଛନ୍ତି। ଏକଦା ଏମାନଙ୍କୁ ୨୦ରୁ ୨୯ ଏକର ଜମି ସେବା କାର୍ଯ୍ୟ ପାଇଁ ଦିଆଯାଇଥିଲା। ଏସମସ୍ତ ସମ୍ପତ୍ତି ବିକ୍ରି ହୋଇ ପ୍ରାୟ ନିଶ୍ଚିହ୍ନ ହେବାକୁ ବସଲାଣି। ଅଭିଯୋଗ ମୁତାବକ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ନୁଆଗଁା ମୌଜାରେ ଥିବା ପ୍ରାୟ ଏକର ଜମିକୁ ଚଞ୍ଚକତା ପୂର୍ବକ ଘରବାଡ଼ି କରାଯାଇ ବିକ୍ରି ହେଉଛି। ଠାକୁରଙ୍କ ମୂଲ୍ୟବାନ ସମ୍ପତ୍ତି ଫେରି ଆସିଲେ ଶ୍ରୀଜିଉଙ୍କ ସେବାପୂଜାରେ ବ୍ୟାହାତ ଘଟିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଏନେଇ ପୂଜାପଣ୍ଡା ସେବାୟତ ନିଯୋଗ ସମ୍ପାଦକ ସଚ୍ଚୀକାନ୍ତ ପୂଜାପଣ୍ଡା କହିଛନ୍ତି, ସ୍ବୟଂ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିକୁ କିଣିଥିବା ବ୍ୟକ୍ତିଙ୍କଠାରୁ ଆଇନ ଅନୁଯାୟୀ ଉଦ୍ଧାର କରାଯାଉ। କୁମ୍ଭକାର ସେବାୟତ ପ୍ରଫୁଲ ମୁଦୁଲି କହିଛନ୍ତି, ଠାକୁରଙ୍କ ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ। ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ ମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି, ସେବା ପୂଜା ପାଇଁ ଖଞ୍ଜାଯାଇଥିବା ଜମିଗୁଡ଼ିକ ଉଦ୍ଧାର ପାଇଁ କେସ୍‌ ଦାଏର ହୋଇଛି। ଏଥିସହ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି।