ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ ମନମାନି ଚାଲିଥିବା ଅଭିଯୋଗ ଉଠିଛି। ବିଭାଗୀୟ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ବ୍ୟର୍ଥ ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ଏଭଳି ଏକ ଅଭିଯୋଗ କର୍ଲାମୁଣ୍ଡା ଡୁକେରମାଳ ବସ୍ତିଠାରୁ ଭିମାଗୁଡ଼ି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାକୁ ନେଇ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କଂକ୍ରିଟ ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କଂକ୍ରିଟ ରାସ୍ତାରେ ୪ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ ଏବଂ ୪ ଇଞ୍ଚ ଚିପ୍ସ ଢଳେଇ କରାଯିବା ନେଇ ଏଷ୍ଟିମେଟରେ ଉଲ୍ଲେଖ ରହିଛି। କିନ୍ତୁ ଠିକାଦାର କେତେକ ସ୍ଥାନରେ ୨ ଇଞ୍ଚ ଓ ଆଉ କେତେକ ସ୍ଥାନରେ ୩ ଇଞ୍ଚ ମୋଟେଇରେ ମେଟାଲ ନଦେଇ କେବଳ ବାଲି ଓ ଚିପ୍ସରେ ଢଳେଇ କରିଥିବା ଅଭିଯୋଗ ହୋଇଛି।
ଠିକାଦାର କଂକ୍ରିଟ ରାସ୍ତା ନିର୍ମାଣ କରୁଥିବା ସମୟରେ ବ୍ଲକର ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଦେଖା ମିଳି ନ ଥିବା ପଡ଼ାର କେତେକ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି। ଯନ୍ତ୍ରୀଙ୍କ ତଦାରଖ ଅଭାବର ସୁଯୋଗ ନେଇ ଠିକାଦାର ନିମ୍ନମାନର କାମ କରି ବିଲ୍ ହାତେଇ ନେବାକୁ ଉଦ୍ୟମ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଧ୍ୟ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଦେଖା ମିଳୁ ନ ଥିବା ବେଳେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଇବା ପରିବର୍ତ୍ତେ ନିର୍ମାଣସ୍ଥଳଠାରୁ ପ୍ରାୟ ୬୦୦ ମିଟର ଦୂରରେ ସୂଚନା ଫଳକ ଲଗାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସୂଚନା ଫଳକ ଏକ ଗୁହାଳର କାନ୍ଥରେ ଲଗାଯାଇଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାୟୀ ଇଟାରେ ୧୦ ଇଞ୍ଚ ମୋଟେଇରେ ସୂଚନା ଫଳକ ନିର୍ମାଣ କରାଯିବା କଥା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଥିପାଇଁ ସରକାରୀ ହିସାବରେ ୩,୩୦୦ ଟଙ୍କା ବ୍ୟୟ ବ୍ୟବସ୍ଥା ରହିଥିବା ମଧ୍ୟ ସେମାନେ କହିଛନ୍ତି।
ଏ ସମ୍ପର୍କରେ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀଙ୍କୁ ପଚାରିବାରୁ, ଏହି ଅଭିଯୋଗ ସମ୍ପର୍କରେ ତାଙ୍କ ନିକଟରେ ଖବର ରହିଛି। କନିଷ୍ଠ ଯନ୍ତ୍ରୀଙ୍କ ତଦାରଖ ପରେ ମିଳିଥିବା ରିପୋର୍ଟ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ। ତେବେ ରାସ୍ତା ନିର୍ମାଣର ମାନ ଓ ସରକାରୀ ଅର୍ଥର ବ୍ୟବହାର ସମ୍ପର୍କରେ ଜିଲ୍ଲାପାଳ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ାବାସୀ ଓ ସାମାଜିକ କର୍ମୀମାନେ ଦାବି କରିଛନ୍ତି।