ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ,୫ ଆହତ

ବାରିପଦା ଅଫିସ,୮ା୪: ମୟୂରଭଞ୍ଜ ଜିଲା ଏନ୍‌ଏସିରେ ଶନିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। କରଞ୍ଜିଆ ଏନ୍‌ଏସିର ୧୫ ନଂ ଓ୍ବାର୍ଡର ଜଣେ ମହିଳାଙ୍କ ମୃତଦେହ ସତ୍କାର କରିବା ପାଇଁ ପରିବାର ଓ ଆତ୍ମୀୟ ସ୍ବଜନ ଆସି ଶ୍ମଶାନକୁ ନେଇଥିଲେ। ଏହି ସମୟରେ ହଠାତ୍‌ ଆମ୍ବଗଛ ଉପରେ ବଜ୍ରପାତ ହୋଇଥିଲା। ଫଳରେ ଗଛ ମୂଳରେ ଠିଆ ହୋଇଥିବା ସୁବାସିନୀ ଦାସ(୭୦), ଜିବତୀ ନାଏକ(୩୦), ଗର୍ଭବତୀ ମହିଳା ହେମଲତା ହୋ(୨୫)ଙ୍କ ମୃତ୍ୟୁ ଘଟିଥିଲା।। ଆହତମାନେ ହେଲେ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ। ସେମାନଙ୍କୁ ସଙ୍ଗେ ସଙ୍ଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନାଯୋଗ୍ୟ,ମୁକ୍ତା ମୁଣ୍ଡା ନାମକ ଜଣେ ମହିଳାଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ। ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ଘଡ଼ଘଡ଼ି ସହ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବା ଯୋଗୁ ଗଛମୂଳେ ବସିଥିବା ଲୋକମାନେ ଟଳି ପଡ଼ିଥିଲେ। ମୃତକ ଏବଂ ଆହତମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ଖବରପାଇ ଅଙ୍କୁରାସ୍ଥିତ ବାସଭବନରେ ଥିବା ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବା ସହ ଉପସ୍ଥିତ ରହି ଚିକିତ୍ସା ସମ୍ପର୍କରେ ବୁଝାବୁଝି କରିଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବ୍ୟବସ୍ଥା ଉପରେ ତଦାରଖ କରିଥିଲେ। ମନ୍ତ୍ରୀଙ୍କ ସହିତ ଏନ୍‌ଏସି ଅଧ୍ୟକ୍ଷା ପପି ପୃଷ୍ଟି, ଦିଲ୍ଲୀପ ସାହୁ, ଗିରିଧାରୀ ପୃଷ୍ଟି, ମହେଶ୍ୱର ନାୟକ, ସିପୁ ନାୟକ ପ୍ରମୁଖ ପହଞ୍ଚିଥିଲେ।