ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.)

ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଭଉଣୀଭାଇ ଅଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଏଭଳି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ବାଲେଶ୍ୱର ଜିଲା ରେମୁଣା ବ୍ଲକ ମଣ୍ଡଗାଁ ଗ୍ରାମର ଭାସ୍କର ବେହେରାଙ୍କ ଝିଅ ଆଶା ବେହେରା(୧୨) ଦଳେଇ ସାହିସ୍ଥିତ ସମ୍ପର୍କୀୟ ଭାଇ ସୁଶାନ୍ତ ଦଳେଇ(୧୫)ଙ୍କ ଘରକୁ ରାଖୀ ବାନ୍ଧିବାକୁ ଆସିଥିଲେ। ସେହି ସମୟରେ ସୁଶାନ୍ତଙ୍କ ନିଜ ଭଉଣୀ ରଙ୍ଗଲତା ପ୍ରଧାନ ଓ ଭିଣୋଇ ବିଜୟ ପ୍ରଧାନ ଉପସ୍ଥିତ ଥିଲେ। ଆଶା ଘର ପିଣ୍ଡାରେ ବସି ସୁଶାନ୍ତଙ୍କ ହାତରେ ରାଖୀ ବାନ୍ଧୁଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଏଥିରେ ୪ଜଣ ଗୁରୁତର ଆହତ ହେବା ସହ ଘର ଛପର ଓ ନିକଟସ୍ଥ ଆମ୍ବଗଛ ଜଳିଯାଇଥିଲା। ପରିବାର ଲୋକେ ୪ଜଣଙ୍କୁ ଉଦ୍ଧାରକରି ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସୁଶାନ୍ତ ଓ ଆଶାକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଥିବା ଭଉଣୀଭିଣୋଇଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଆରବନ୍ଧ ଗ୍ରାମର ନିତ୍ୟାନନ୍ଦ ବିଶ୍ୱାଳ ନାମକ ଚାଷୀ ବିଲରେ ସାର ପକାଉଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାରକରି ବରହମ୍‌ପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି।
ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଇତିପୁର ଗାଁରେ ବଜ୍ରପାତ ହୋଇ ଆନନ୍ଦ ଚନ୍ଦ୍ର ଦାସ ନାମକ ଚାଷୀଙ୍କ ମୃତ୍ୟୁ ହୋଇଛି। ସେ ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାନ୍ଦବାଲି ଏନ୍‌ଏସି ଅଧୀନ ଗଜିଗିରି ଗାଁର ମଥୁରା ଦାସ ନାମକ ଚାଷୀ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଚାନ୍ଦବାଲି ବ୍ଲକ ଶାସ୍ତ୍ରୀଘାଟ ଅଞ୍ଚଳକୁ କାଠ କିଣିବାକୁ ଆସିଥିବା ରମାକାନ୍ତ ବେଜ ନାମକ ଜଣେ ବ୍ୟକ୍ତି ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘର କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକରେ।
ସେହିପରି କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ସୁନାପଶି ପଞ୍ଚାୟତ ଅଧୀନ ଗିରିଧାରୀପୁର ଗ୍ରାମରେ ବଜ୍ରପାତ ହୋଇ ଚନ୍ଦ୍ରମୋହନ ମୁଣ୍ଡ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବର୍ଷା ସମୟରେ ସେ ବାହାରେ ଥିବା ଦୁଇଟି ବଳଦକୁ ଦେଖିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।