ବଜ୍ରପାତ ନେଲା ୬ ଜୀବନ

ଆନନ୍ଦପୁର/ବାଲେଶ୍ୱର ଅଫିସ,୨ା୯(ସ୍ବ.ପ୍ର.): ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବଜ୍ରପାତ ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲାର ୪ ଓ ବାଲେଶ୍ୱରର ୨ ଜଣ ରହିଛନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପୂର୍ବାହ୍ନରେ ବର୍ଷା ସହ ବଜ୍ରପାତ ହୋଇଥିଲା। ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଗଣେଶ ଜେନା(୬୧) ବିଲକୁ ଘାସ କାଟିବାକୁ ଯାଇଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। ସେହିଭଳି ବାହିରିପୁର ଗ୍ରାମର ବଲ୍ଲଭ ବେହେରା(୪୭) ରମ୍ପାସ ଗ୍ରାମକୁ କାମ କରିବାକୁ ଯାଇଥିବାବେଳେ ବଜ୍ରପାତ ଯୋଗୁ ସେଠାରେ ଟଳି ପଡ଼ିଥିଲେ। ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ସାପୁଆସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା(୫୨) ଘାସ କାଟିବାକୁ ଯାଇଥିବାବେଳେ ଏବଂ ପଣ୍ଡୁଆ ଗ୍ରାମର ସନ୍ତୋଷ ପ୍ରଧାନଙ୍କ ୧୨ ବର୍ଷର ଝିଅ ଘର ବାହାରେ ଖେଳୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ପରିବାରଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମର କାର୍ତ୍ତିକ ମହାନ୍ତି (୩୫) ମଙ୍ଗଳବାର ପୂର୍ବାହ୍ନ ୧୦ ଟା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। କ୍ଷେତକୁ ଯାଉଥିବା ସମୟରେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ବି.କେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଭୋଗରାଇ ଥାନା ଅଧୀନ କାଉବଣି ଗ୍ରାମରେ ମଧ୍ୟ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆନନ୍ଦ ଦେଙ୍କ ସ୍ତ୍ରୀ ସାବିତ୍ରୀ(୫୯)। ଅପରାହ୍ନ ୧ଟା ବେଳେ ଗାଧୋଇସାରି ଘରକୁ ଫେରୁଥିବା ସେ ବଜ୍ରପାତର ଶିକାର ହୋଇଥିଲେ।