ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨) ବିଲରେ ଟଳି ପଡ଼ିଥିଲେ। ଗରଦପୁର ଗ୍ରାମ ଓଁ ଶାନ୍ତି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପଛପାଖ ବାଇଶିଢ଼ିଆ ଚକରେ ଟିକି ଧାନ ତଳି ଉପାଡୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ସେଠାରେ ସେ ଟଳି ପଡ଼ିଥିବାବେଳେ ଅନ୍ୟଜଣେ ମହିଳା ଶ୍ରମିକ ସୁଲୋଚନା ସେଠୀ(୫୦) ବଜ୍ରପାତରେ ଅଚେତ ହୋଇପଡ଼ିଥିଲେ ଓ ପରେ ତାଙ୍କର ଚେତା ଫେରିଥିଲା। ଜଣେ ଚାଷୀଙ୍କର ଧାନ ରୋଇବା ପାଇଁ ୮ ଜଣ ଶ୍ରମିକ ଯାଇଥିଲେ। ତେବେ ଟିକି ଓ ସୁଲୋଜନା ତଳି ଉପାଡ଼ିବାେବେଳେ ଅନ୍ୟ ୬ ଜଣ ଶ୍ରମିକ କିଛି ଦୂରରେ ଥିବା କିଆରିରେ ଧାନ ରୋଉଥିଲେ। ଅଗ୍ନିଶମ ବିଭାଗର ଗାଡ଼ି ଆସି ଟିକିଙ୍କୁ ପାଟକୁରା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।