କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି । ଫଳରେ ମନ୍ଦିରର ଉପର ଭାଗ କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ କିଛି କ୍ଷଣ ପାଇଁ ଲୋକେ ଆତଙ୍କିତ ହୋଇପଡିଥିଲେ ।
ତେବେ ଏହି ଘଟଣା ପରେ ମନ୍ଦିରର ବିଦ୍ୟୁତ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି କାଳବୈଶାଖୀ ପ୍ରଭାବରେ କଟକରେ ୧୧ଟି ସ୍ଥାନ ପ୍ରଭାବିତ ହୋଇଛି । ଗଛ ଉପୁଡିଵା କାରଣରୁ ୧୧ଟି ସ୍ଥାନରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଗଛ ହଟାଇବା ପାଇଁ ୭ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ବିଦ୍ୟୁତ ସରବରାହ ସ୍ବାଭାବିକ ପାଇଁ ଟାଟା ପାଓ୍ବାରର ୪୫ଟି ଟିମ୍ ନିୟୋଜିତ ହୋଇଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।