ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଲେ କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ଗ୍ରାମର ନେପାଳ କଅଁରଙ୍କ ସାନ ପୁଅ ନରେଶ (୧୫)। ଗୁରୁତର ଦୁଇଜଣ ହେଲେ କମିରା ଗ୍ରାମର ବନମାଳୀ ଗୁରୁଙ୍କ ପୁଅ ଅଜୟ (୨୪) ଓ ବିକାଶ ପ୍ରଧାନ (୧୮)। ସେମାନେ ବର୍ତ୍ତମାନ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାନୁଯାୟୀ, ରବିବାର ଅପରାହ୍ନରେ କମିରା ଗ୍ରାମର ଏକ ଚାଷଜମିରେ ଧାନ ଚାଷ ପାଇଁ ନରେଶ, ଅଜୟ ଓ ବିକାଶ ଖତ ପକାଉଥିଲେ। ଏହି ସମୟରେ ହଠାତ୍‌ ପାଗ ଖରାପ ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତରେ ୩ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ସେମାନଙ୍କୁ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ସୋନପୁର ମେଡିକାଲରେ ଡାକ୍ତର ନରେଶଙ୍କୁ ମୃତ ଘୋଷଣା କରିଥିବାବେଳେ ଅଜୟ ଓ ବିକାଶଙ୍କ ଚିକିତ୍ସା ଚାଲିଛି। ବିକାଶଙ୍କ ମାତାପିତା ନ ଥିବାରୁ ସେ ତାଙ୍କ ମାମୁଘର କମିରା ଗ୍ରାମରେ ରହୁଥିବା ଜଣାପଡ଼ିଛି। ନରେଶଙ୍କ ମୃତଦେହ ସୋନପୁର ମେଡିକାଲରେ ରଖାଯାଇଥିବାବେଳେ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହି ଅକାଳ ମୃତ୍ୟୁକୁ ନେଇ ବିକଳପୁର ଓ କମିରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Share
Tags: Lightning