ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ସେହିପରି ବଜ୍ରପାତରେ ଅନ୍ୟ ଜଣେ ଆହତ ହୋଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ଯଦୁପୁର ଖସାଡ଼ି ଗ୍ରାମର ସୁଶାନ୍ତ କୁମାର ରାଉତ (୩୫) ନିକଟସ୍ଥ ରେଳଲାଇନ ପାର୍ଶ୍ୱରେ ଥିବା ଚାଷ ଜମିରେ ବେଉଷଣ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ବଜ୍ରପାତରେ ସୁଶାନ୍ତ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।
ସେହିପରି, ସମାନ ସମୟରେ ନିକଟସ୍ଥ ମଶାକଣି ଗ୍ରାମର ବିଶିଆ ଦାସ (୬୦) ଘର ନିକଟରେ ଯାଉଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ବଜ୍ରପାତ ଜନିତ ଆଘାତରେ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସରପଞ୍ଚ ସଂଯୁକ୍ତା ଜେନା ସୂଚନା ଦେଇଛନ୍ତି।
ସରପଞ୍ଚ ସଂଯୁକ୍ତା ଜେନା ମେଡିକାଲରେ ଉଭୟଙ୍କ ପରିବାରକୁ ଭେଟି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କ ମତାମତ ନେବାରୁ ସେ କହିଛନ୍ତି ଯେ, ଉଭୟ ଘଟଣା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ମିଳିଛି। ତଦନ୍ତ ରିପୋର୍ଟ ଆଧାରରେ ରିଲିଫ୍ କୋଡ୍ର ବିଧିବିଧାନ ଅନୁଯାୟୀ ସରକାରୀ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି।