ବେଳାଭୂମିରେ ବଜ୍ରପାତ: ୩ ପର୍ଯ୍ୟଟକ ଗୁରୁତର

ବାଲେଶ୍ୱର,୭।୪: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ରବିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏହି ବଜ୍ରପାତରେ ୩ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ ଏବଂ ଅନ୍ୟ ଦୁଇଜଣ ବଙ୍ଗୀୟ ପର୍ଯ୍ୟଟକ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ପର୍ଯ୍ୟଟକମାନେ ଉଦୟପୁର ବେଳାଭୂମିରେ ବୁଲାବୁଲି କରୁଥିଲେ। ସେତିକିବେଳେ ପ୍ରବଳ ଘଡ଼ଘଡି ସହ ବର୍ଷା ହୋଇ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୩ଜଣ ପର୍ଯ୍ୟଟକ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପହଞ୍ଚି ୩ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।