ବଜ୍ରପାତରେ ୫ବର୍ଷରେ ଯାଇଛି ୧୮୩୬ ଜୀବନ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୧୮୩୬ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ୩୨ଜଣ ବଜ୍ରପାତରେ ଆହତ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏଭଳି ତଥ୍ୟ ଉପସ୍ଥାପନ କରିଛନ୍ତି। ମୃତ ୧୮୩୬ଜଣଙ୍କ ମଧ୍ୟରୁ କୋରାପୁଟ ଜିଲାର ୬୩ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବାବେଳେ ୧୮ଜଣ ଆହତ ହୋଇଛନ୍ତି। ରାଜ୍ୟ ସରକାର ବଜ୍ରପାତକୁ ୨୦୧୫ ଏପ୍ରିଲ ୧ରୁ ‘ରାଜ୍ୟଭିତ୍ତିକ ବପର୍ଯ୍ୟୟ’ଭାବେ ଘୋଷଣା କରିଛନ୍ତି। ଏହାଦ୍ୱାରା ବଜ୍ରପାତରେ କ୍ଷତିଗ୍ରସ୍ତ ବ୍ୟକ୍ତି ଏବଂ ଗୃହପାଳିତ ପଶୁଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଏବଂ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ନିୟମାବଳୀ ଅନୁଯାୟୀ ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି।